୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି: ମୋଦୀ

କଟକ ରାଲିରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ନୁଗୁଳ ପରେ କଟକରୁ ମଧ୍ୟ ବିଜେଡି ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧାସଳଖ ରତ୍ନଭଣ୍ଡାର ପ୍ରସଙ୍ଗ ଉଠେଇବା ସହିତ, ରତ୍ନଭଣ୍ଡାର ଚାବି ତାମିଲନାଡୁ ପଳେଇ ଯାଇଛି ବୋଲି କିଛି ଲୋକ କହିବା ଆରମ୍ଭ କଲେଣି ବୋଲି କହିଲେ ମୋଦୀ ।

ପ୍ରଧାନମନ୍ତ୍ରୀ କଟକରେ ବିଜେପି ପାଇଁ ଭୋଟ୍ ମାଗିବା ସହିତ, ୨୫ ବର୍ଷ ପରେ ଓଡିଶା ନୂଆ ଇତିହାସ ରଚିବାକୁ ଯାଉଛି ବୋଲି କହିଥିଲେ । ଏଥିସହ ଓଡ଼ିଶାକୁ ବରବାଦ କରିଥିବା ଲୋକଙ୍କ ପାଇଁ ଏ ନିର୍ବାଚନ ସଜା ସଦୃଶ ବୋଲି ବି ସେ କହିଛନ୍ତି । ଆଜି କଟକରେ ଆୟୋଜିତ ଜନସଭାକୁ ସମ୍ବୋଧନ କରି ୨୫ ବର୍ଷ ପରେ ଓଡ଼ିଶା ନୂଆ ଇତିହାସ ରଚିବ ବୋଲି କହିଛନ୍ତି ମୋଦି ।

ଓଡିଶାରେ ଜୁନ୍ ୧୦ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଶପଥ ନେବା, ଏହା ଧାର୍ଯ୍ୟ । ତା ସହିତ ଆପଣଙ୍କ ଆର୍ଶୀବାଦରେ ୩ୟ ଥର ମୋଦୀ ସରକାର ଦିଲ୍ଲୀରେ ଶପଥ ନେବ ବୋଲି ସେ କହିଥିଲେ।।

ଓଡ଼ିଶା ବିଜେପି ମା’ ମାନଙ୍କ ପାଇଁ ଯେଉଁ ଗ୍ୟାରେଣ୍ଟି ଆଣିଛି ତାହାକୁ ନେଇ ଦେଶରେ ଚର୍ଚ୍ଚା ହେଉଛି । ମୋଦୀଙ୍କ ଗ୍ୟାରେଣ୍ଟି ହେଉଛି ଦେଶର ୩ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି ଭାବେ ସୃଷ୍ଟି କରିବେ । ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଇଁ ୧୨୦୦୦ ଟଙ୍କାର ଦରମା ମିଳିବ । ଆୟୁଷ୍ମାନ ଯୋଜନା ଲାଗୁ ହେଲେ କଟକର ସମସ୍ତ ବୟସ୍କଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବ ବିଜେପି ବୋଲି ମୋଦି କହିଛନ୍ତି

କଂଗ୍ରେସ ସରକାର ସମୟରେ ପୁରୁଣା ଖଣି ଉତ୍ତୋଳନ ନୀତିରେ ମାତ୍ର ୫୦୦୦ କୋଟି ମିଳୁଥିଲା । କିନ୍ତୁ ମୋଦୀ ସରକାରରେ ଏହା ୫୦ ହଜାର କୋଟିକୁ ବୃଦ୍ଧି ପାଇଛି । ଡିଏମଏଫ ଜରିଆରେ ୨୬ ହଜାର କୋଟି ଟଙ୍କା ମିଳିଛି । ଏଠାରେ ରାସ୍ତା,ବିଜୁଳି, ହସ୍ପିଟାଲ, ସ୍କୁଲରେ ଅବ୍ୟବସ୍ଥା ରହିଛି । ତେଣୁ ଦିଲ୍ଲୀରୁ ଆସିଥିବା ଟଙ୍କା କୁଆଡେ ଗଲା? ବିଜେଡି ନେତାଙ୍କୁ କଟ୍ ନ ମିଳିବା ପର୍ଯ୍ୟନ୍ତ ସବୁ ପ୍ରକଳ୍ପକୁ ଅଟକାଇ ରଖୁଛନ୍ତି । ଓଡ଼ିଶା ସହ ଯେଉଁ ଲୁଟ୍ ଚାଲିଛି ତାହା ବନ୍ଦ ହେବା ଦରକାର । ଆପଣଙ୍କ ଭୋଟ ହିଁ ଏହି ଲୁଟ୍ ବନ୍ଦ କରିବ । ଆପଣଙ୍କ ଭୋଟ ବଳରେ ହିଁ ଓଡ଼ିଶାର ଭାଗ୍ୟ ବଦଳିବ ବୋଲି ସେ କହିଛନ୍ତି ।