‘ରାଇଜିଙ୍ଗ୍‍ ଷ୍ଟାର ସିଜନ୍‍-୩’ର ବିଜେତା ସାଜିଲେ ଅଫତାବ

ମୁମ୍ବଇ : ପଞ୍ଜାବ ସ୍ଥିତ ଫରିଦକୋଟର ୧୨ ବର୍ଷୀୟ ଅଫତାବ ସିଂହ କଲର୍ସ ଟିଭିରେ ପ୍ରସାରିତ ହେଉଥିବା ସଙ୍ଗୀତ ଭିତ୍ତିକ ରିୟାଲିଟି ଶୋ’ ‘ରାଇଜିଙ୍ଗ୍‍ ଷ୍ଟାର ସିଜନ୍‍-୩’ର ବିଜେତା ସାଜିଛନ୍ତି। ଶନିବାର ଶୋ’ର ଗ୍ରାଣ୍ଡ ଫିନାଲେରେ ଅଫତାବଙ୍କୁ ବିଜେତା ଘୋଷଣା କରାଯିବା ସହ ଟ୍ରଫି ଓ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସେହିପରି ଶୋ’ର ପ୍ରଥମ ରନର୍ସ ଅପ୍‍ ହୋଇଥିବା ଦିବାକର ଶର୍ମାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଶୋ’ର ଅନ୍ତିମ ପର୍ଯ୍ୟାୟରେ ମୋଟ୍‍ ୪ ଜଣ ପ୍ରତିଯୋଗୀ ପହଞ୍ଚିଥିଲେ। ସେମାନେ ହେଉଛନ୍ତି, ଅଫତାବ ସିଂହ, ଦିବାକର ଶର୍ମା, ସଞ୍ଜୟ ସତୀଶ ଏବଂ ଅଭିଷେକ ସରାଫ। ଏମାନଙ୍କ ମଧ୍ୟରେ ଅଫତାବଙ୍କ ବୟସ ସବୁଠାରୁ କମ୍‍। ଅଫତାବଙ୍କ ପାଇଁ ପ୍ରଶଂସକମାନେ ମୋଟ୍‍ ୯୦ ପ୍ରତିଶତ ଭୋଟ୍‍ କରିଥିଲେ।
ସୂଚନାଯୋଗ୍ୟ, ଅଫତାବ ପୂର୍ବରୁ ‘ସାରେଗାମାପା ଲିଟିଲ୍‍ ଚ୍ୟାମ୍ପ୍ସ(୨୦୧୭)’ରେ ମଧ୍ୟ ଭାଗ ନେଇଥିଲେ। ମାତ୍ର ସେଥିରେ ସେ ଟପ୍‍ ୭ ପର୍ଯ୍ୟନ୍ତ ଯାଇଥିଲେ।