ଆଫ୍‌ଗାନୀ ଆତଙ୍କବାଦୀଙ୍କ ସାହାଯ୍ୟ ଲୋଡ଼ିଲେ ପାକ୍‌ ସେନା ମୁଖ୍ୟ!

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟ୍‌ରେ ଥିବା ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ଟ୍ରେନିଂ କ୍ୟାମ୍ପ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଏବେ ପ୍ରତିହିଂସା ପରାୟଣ ହୋଇ ଉଠିଛି। 
ଜାତୀୟ ସ୍ତରର ଏକ ନ୍ୟୁଜ୍‌ ଚ୍ୟାନେଲ୍‌ ‘ରିବପ୍ଲିକ୍‌ ଟିଭି’ରେ ଏସଂପର୍କିିତ ଏକ ‘ଏକ୍ସକ୍ଲୁସିଭ୍‌’ ରିପୋର୍ଟ ପ୍ରସାରିତ ହେବା ପରେ ପାକିସ୍ତାନର ଅସଲ ମୁଖା ଏବେ ପଦାରେ ପଡ଼ିଯାଇଛି। ବିଶ୍ୱସ୍ତ ସୂତ୍ରରୁ ହସ୍ତଗତ ହୋଇଥିବା ଖବରରୁ ଜାଣିବାକୁ ମିଳିଛି ଯେ ପାକିସ୍ତାନର ଉତ୍ତର ଓ ପଶ୍ଚିମ ସୀମାନ୍ତରେ ମୁତୟନ ଥିବା ସମସ୍ତ ପାକିସ୍ତାନୀ ସେନା ଓ ସେନା କମାଣ୍ଡରଙ୍କୁ ସେଠାରୁ ପ୍ରତ୍ୟାହାର କରିଆଣି ସେମାନଙ୍କୁ ଭାରତ- ପାକ୍‌ ସୀମାର ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟରେ ମୁତୟନ କରୁଛି ପାକିସ୍ତାନ। ଖାଲି ଏତିକି ନୁହେଁ; ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ଭାରତ ବିରୋଧରେ ପ୍ରତିଶୋଧ ନେବାକୁ ବାଲୁଚିସ୍ତାନ ଓ ଓ୍ଵାଜରିସ୍‌ସ୍ତାନ୍‌ରେ ବସବାସ କରୁଥିବା ଆଦିବାସୀମାନଙ୍କୁ ପାକିସ୍ତାନୀ ସେନାକୁ ସହାୟତା କରିବାକୁ ମଧ୍ୟ ଅନୁରୋଧ କରିଛି। ତେବେ, ଏମାନେ ଏଥିରେ ରାଜି ନହେବାରୁ ପାକିସ୍ତାନ ସେନା ଏବେ ଆଫ୍‌ଗାନ୍‌ ଆତଙ୍କବାଦୀମାନଙ୍କର ସାହାଯ୍ୟ ଲୋଡ଼ିଥିବା ଏହି ସୂତ୍ରରୁ ଜାଣିବାକୁ ମିଳିଛି। ଇତିମଧ୍ୟରେ ପାକିସ୍ତାନର ଉତ୍ତରରେ ଥିବା ଓ୍ଵାଜରିସ୍‌ସ୍ତାନ୍‌, ବାନୁ ଓ ଜାନିଖେଲ ଅଞ୍ଚଳରେ ମୁତୟନ ଥିବା ସମସ୍ତ ସେନାଙ୍କୁ ପ୍ରତ୍ୟାହାର କରି ଆଣିବା ସହ ପାକିସ୍ତାନ ସେମାନଙ୍କୁ ଏଲ୍‌ଓସିକୁ ପଠାଇ ଦେଇଛି। ସେନା ଓ ସେନା ସମାଗ୍ରୀକୁ ଏଲ୍‌ଓସିକୁ ପଠାଇବା ପାଇଁ ପାକିସ୍ତାନ ଏବେ ବଳପୂର୍ବକ ଭାବେ ଘରୋଇ ଟ୍ରକ୍‌, ବସ୍‌ ଓ ଯାତ୍ରୀବାହୀ ବସ୍‌କୁ ବ୍ୟବହାର କରୁଥିବା ଦେଖିବା ପାଇଁ ମିଳିଛି। ଏହି ସବୁ ଘଟଣାର ତଦାରଖ ଖୋଦ୍‌ ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ କମର୍‌ ଜାଭେଦ୍‌ ବାଜ୍‌ଓ୍ଵା କରୁଥିବା ସହ ଆଫଗାନ୍‌ ଆତଙ୍କବାଦୀମାନଙ୍କ ସହ ଯୋଗାଯୋଗରେ ରହିଥିବା ଜାଣିବା ପାଇଁ ମିଳିଛି।