ମହିଳା ଆଇନଜୀବୀଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗିପୁର ଏକ ଭଡ଼ା ଘରୁ ଜଣେ ମହିଳା ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ଓ ଏହା ପଛରେ ଥିବା ଘଟଣା ନେଇ ସନ୍ଦେହ ବଢିବାରେ ଲାଗିଛି ।

ସୂଚନା ମୁତାବକ, ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରର ଏକ ଭଡ଼ା ଘରେ ଆଜି ଜଣେ ମହିଳା ଆଇନଜୀବୀଙ୍କ ମୃତ୍ୟୁ ଘଟିଛି । ମୃତକ ଆଇନଜୀବୀ ଦୀପାଳି ପ୍ରିୟଦର୍ଶନୀ ଜେନା । ପରିବାର ଲୋକେ ଘରର କବାଟ ଭାଙ୍ଗି ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛନ୍ତି । ତାଙ୍କର ଏହି ସନ୍ଦେହଜନକ ମୃତ୍ୟୁ ପଛର କାରଣ ଏଯାଏଁ ଜଣାପଡ଼ିନାହିଁ । ମୃତ ଆଇନଜୀବୀଙ୍କ ପୈତୃକ ଘର ଭଦ୍ରକରେ ବୋଲି ଜଣାପଡ଼ିଛି ।

ଆଇନଜୀବୀ ଦୀପାଳିଙ୍କ ମୃତ୍ୟୁ ପଛରେ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ ଉଠିଥିବା ସର୍ବ ସାଧାରଣରେ ଚର୍ଚ୍ଚା ହେଉଛି । ମୃତଦେହ ଉଦ୍ଧାର ନେଇ ଦୀପାଳିଙ୍କ ସାନଭଉଣୀ ଅଭିଯୋଗ କରିବା ପରେ ସନ୍ଦେହ ଘନୀଭୂତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।