ଓକିଲଙ୍କୁ ପୋଲିସ ମାଡ ଘଟଣାର ତଦନ୍ତ ୯ ସୁଦ୍ଧା ସାରିବାକୁ ହାଇକୋର୍ଟଙ୍କ ନିର୍ଦେଶ

ଭୁବନେଶ୍ୱର: ହାଇକୋର୍ଟ ଓକିଲଙ୍କୁ ପୁଲିସ ମାଡ଼ ଘଟଣାର ତଦନ୍ତ ଆସନ୍ତା ୯ ତାରିଖ ସୁଦ୍ଧା ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ତଦନ୍ତର ତଦାରଖ ଦାୟିତ୍ୱ ନିଜେ ନେଇଛନ୍ତି । ଏହି ତଦନ୍ତକୁ ଜଷ୍ଟିସ ସିଆର ଦାସ ତଦାରଖ କରିବେ ବୋଲି ହାଇକୋର୍ଟ କହିଛନ୍ତି । ଏହି ମାଡ଼ ଘଟଣାକୁ ନେଇ ଓକିଲ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି । ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଇଜି ପାହ୍ୟାର ଜଣେ ବରିଷ୍ଠ ଅଫିସର ଏହାର ତଦାରଖ କରୁଛନ୍ତି । କିନ୍ତୁ ଏଯାଏ ତଦନ୍ତ ଶେଷ ହୋଇନଥିବାରୁ ହାଇକୋର୍ଟ ତୁରନ୍ତ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ତଦନ୍ତକାରୀ ଅଧିକାରୀ ତଦନ୍ତର ଅଗ୍ରଗତି ନେଇ ଜଷ୍ଟିସ ସିଆର ଦାସଙ୍କୁ ଦୈନିକ ଅବଗତ କରାଇବେ । ଏହି ନିର୍ଦ୍ଦେଶ ପରେ ତଦନ୍ତ ଶୀଘ୍ର ଶେଷ ହେବ ବୋଲି କୁହାଯାଉଛି ।

ଏହି ବିବାଦକୁ ନେଇ ଆଜକୁ ୬୩ ଦିନ ହେଲା କୋର୍ଟ କାର୍ଯ୍ୟ ଅଚଳ ହୋଇପଡ଼ିଛି । ଓକିଲମାନେ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ଏହି ମାଡ଼ ଘଟଣାରେ ସଂପୃକ୍ତ ଥିବା ସମସ୍ତ ୫ଜଣ ପୁଲିସ କର୍ମଚାରୀଙ୍କୁ ଗିରଫ କରିବା ପାଇଁ ସେମାନେ ଦାବିରେ ଅଡି ବସିଛନ୍ତି । ଇତିମଧ୍ୟରେ ଦୁଇ ଜଣଙ୍କୁ ଗିରଫ କରାଯାଇ ଜାମିନରେ ଛଡ଼ାଯାଇଛି । କିନ୍ତୁ ଆଉ ୩ଜଣଙ୍କୁ ଗିରଫ ଦାବିରେ ସେମାନେ ଜିଦ୍ ଧରି ବସିଛନ୍ତି । ଅନ୍ୟପଟରେ ହାବିଲଦାର, କନେଷ୍ଟବଳ ଓ ସିପାହୀ ମହାସଂଘ ଆଉ କାହାରିକୁ ଗିରଫ କରାଗଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି । ଉଭୟ ପକ୍ଷ ତକାତକି ହୋଇ ରହିଥିବାରୁ ଅଚଳାବସ୍ଥା ଦେଖାଦେଇଛି । ଓକିଲଙ୍କ ଆନ୍ଦୋଳନରୁ ବିଜୁ ଆଇନ ସାମ୍ମୁଖ୍ୟ ଓହରି ଯାଇଥିଲେ ମଧ୍ୟ କୋର୍ଟ କାର୍ଯ୍ୟ ଚଳାଇବାରେ ସମର୍ଥ ହୋଇପାରି ନାହାନ୍ତି ।