ରଥରେ ସରିଲା ଅଧରପଣା ନୀତି, କାଲି ନିଳାଦ୍ରୀ ବିଜେ କରିବେ ମହାବାହୁ

ପୁରୀ : ରଥଯାତ୍ରାର ଏକ ଅଂଶ ସ୍ୱରୂପ ଶ୍ରୀକ୍ଷେତ୍ରରେ ବଡଦାଣ୍ଡରେ ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସରିଛି । ରଥ ଉପରେ ମହାପ୍ରଭୁଙ୍କ ଅଧର ଉଚ୍ଚର ୩ଟି ଲେଖାଏ ହାଣ୍ଡିରେ ଅଧରପଣା ଭୋଗ ହୋଇଛି । ଏହି ପଣା ଭୋଗର ଏକ ସ୍ୱତନ୍ତ୍ରତା ରହିଛି । ରଥଯାତ୍ରାରେ ଯାଇଥିବା ପାର୍ଶ୍ୱ ଦେବଦେବୀ, ଅଶରୀରୀମାନେ ଏହି ପଣା ପାଇ ତୃପ୍ତ ହୁଅନ୍ତି ବୋଲି ବିଶ୍ୱାସ । ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ଦୈନନ୍ଦିନ ନୀତି କରାଯିବ । ସୂପକାର ସେବାୟତମାନେ ସିଂହଦ୍ୱାର ନିକଟସ୍ଥ ବଡ଼ଛାଉଣୀ ମଠ କୂଅରୁ ଜଳ ନେଇ ସେଥିରେ କ୍ଷୀର, ସର, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, କର୍ପୁର, ଜାଇଫଳ ଆଦି ମିଶ୍ରଣରେ ପଣା ପ୍ରସ୍ତୁତ କରି ଲାଗି କରିଥିଲେ ।


ପତ୍ରିବଡୁ, ସୁଆରବଡୁ, ଗରାବଡୁ ପାଳିଆ ସେବକ ଏବଂ ପୂଜାପଣ୍ଡା ସେବକ ପଣା ହାଣ୍ଡିକୁ ତିନିରଥର ପୋଖରିଆ ଉପରେ ପୂଜାର୍ଚ୍ଚନା କରିବା ପରେ ଏହା ଭଙ୍ଗାଯିବ। ଏହି ପଣା ରଥଯାତ୍ରାରେ ଯାଇଥିବା ସମସ୍ତ ପାର୍ଶ୍ୱ ଦେବତା ସମେତ ଭୋଗ ପାଇବା ପାଇଁ ଯାଇଥିବା ଚଣ୍ଡୀ, ଚାମୁଣ୍ଡାଙ୍କୁ ଉତ୍ସର୍ଗ କରାଯାଇଥାଏ। ଶ୍ରୀମନ୍ଦିର ନୀତିନିର୍ଘଣ୍ଟ ଅନୁଯାୟୀ, ଆଜି ମଧ୍ୟାହ୍ନ ଧୂପ ଅପରାହଣ ୪ଟା ୩୦ରେ ସରିବା ପରେ ଅଧର ନୀତି ଆରମ୍ଭ ହୋଇ ୮ଟାରେ ଶେଷ ହୋଇଥିଲା ।
ତିନି ରଥ ଉପରେ ବିରାଜମାନ କରୁଥିବା ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କ ବିଗ୍ରହ ସାମ୍ନାରେ ଏହି ନୀତି ସମ୍ପନ୍ନ ହୋଇଛି। ତିନି ଠାକୁରଙ୍କ ଅଧର ବା ଓଠ ଉଚ୍ଚର ଏବଂ କୁମ୍ବ ଆକୃତିର ୯ଟି ମାଟି ପାତ୍ରରେ ଦିବ୍ୟ ପଣା ପ୍ରସ୍ତୁତ କରାଯାଇ ଏହାକୁ ପଞ୍ଚ ଉପଚାରରେ ପୂଜା କରାଯାଇଥିଲା।


ପରେ ଏହି ପଣାହାଣ୍ଡିକୁ ରଥ ଉପରେ ଭାଙ୍ଗି ଦିଆଯାଇଥିଲା। ଶ୍ରୀଜିଉଙ୍କ ଘୋଷଯାତ୍ରା ବେଳେ ରଥରେ ରହୁଥିବା ପାର୍ଶ୍ୱ ଦେବଦେବୀ ଓ ଚଣ୍ଡି-ଚାମୁଣ୍ଡା ଓ ଅଶରୀରୀଙ୍କ ଉଦ୍ଦେଶ୍ୟର ଏହି ପଣା ଅର୍ପଣ କରାଯାଇଥିଲା। ମହାପ୍ରଭୁଙ୍କ ଏହି ନୀତି ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଆସନ୍ତାକାଲି ଚତୁର୍ଦ୍ଧାମୁରତୀଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଭାଇ ଓ ଭଉଣୀଙ୍କୁ ଧରି ନୀଳକନ୍ଦରକୁ ଫେରିବେ ମହାପ୍ରଭୁ।