ପ୍ରବାସୀଙ୍କ ପଞ୍ଜୀକରଣରେ ବାଧ୍ୟତାମୂଳକ ନୁହେଁ ଆଧାର ଦାଖଲ

କଟକ: ରାଜ୍ୟରେ ପ୍ରବାସୀଙ୍କ ନିମନ୍ତେ ପଞ୍ଜୀକରଣ ଓ ସଙ୍ଗରୋଧକୁ ବାଧ୍ୟତାମୂଳକ କରାଯାଇଛି । ପଞ୍ଜୀକରଣ ସମୟରେ ଆଧାର କାର୍ଡ଼ ଦାଖଲକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି । ମାତ୍ର ଓଡ଼ିଶା ହାଇକୋର୍ଟ ଏ ସଂକ୍ରାନ୍ତ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ପ୍ରବାସୀଙ୍କ ପଞ୍ଜୀକରଣ ନିମନ୍ତେ ଆଧାରକୁ ବାଧ୍ୟତାମୂଳକ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି । ଆଧାର ଭିନ୍ନ ଅନ୍ୟ ସରକାରୀ ଦସ୍ତାବିଜ ଦାଖଲ କରି ଜଣେ ପ୍ରବାସୀ ନିଜର ପଞ୍ଜୀକରଣ କରିପାରିବ ବୋଲି ହାଇକୋର୍ଟ କହିଛନ୍ତି ।

ନିଜ ରାଜ୍ୟକୁ ଫେରି ଆସୁଥିବା ଦେଶ ଭିତର ଓ ବାହାରର ଲୋକଙ୍କ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି । ସେମାନେ ବିଭିନ୍ନ ରାସ୍ତାରେ ଓଡ଼ିଶା ଫେରୁଛନ୍ତି । ପୂର୍ବରୁ ବସ୍ ଓ ଟ୍ରେନରେ ଅନେକ ଲୋକ ଓଡ଼ିଶା ଫେରିଛନ୍ତି । ଆସନ୍ତା ସପ୍ତାହରେ ବିମାନରେ ମଧ୍ୟ ବହୁ ପ୍ରବାସୀ ଫେରି ଆସିବାର ଯୋଜନା ରହିଛି । ଏପରି ସ୍ଥିତିରେ ଓଡ଼ିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ପଞ୍ଜୀକରଣ ଅନିବାର୍ଯ୍ୟ ଓ ସେମାନେ କ୍ୱାରେନଂଟାଇନ୍ ରେ ରହିବା ବାଧ୍ୟ । କିନ୍ତୁ ପଞ୍ଜୀକରଣ ସମୟରେ ଆଧାର କାର୍ଡ଼ର ନକଲ ବା ନମ୍ବର ପ୍ରଦାନ କରାଯିବାକୁ ରାଜ୍ୟରେ ନିର୍ଦେଶ ଦିଆଯାଇଥିଲା । ଏହା ବିରୋଧରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାର ବିଚାର କରି ଆଧାର ବ୍ୟତୀତ ଅନ୍ୟ ଦସ୍ତାବିଜ ଦେଇ ପଞ୍ଜୀକରଣ କରିପାରିବ ବୋଲି କହିଛନ୍ତି ।