ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧା ମୂରତି

ପୁରୀ  : ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ବିରାଜିଲେ ଚତୁର୍ଦ୍ଧା ମୂରତି । ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଲାଗିଥିବା ରଥାରୁଢ଼ ଶ୍ରୀବିଗ୍ରହଙ୍କ ସମସ୍ତ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାଧୂପ ପରେ ଗୋଟି ପହଣ୍ଡିରେ ଶ୍ରୀ ବିଗ୍ରହ ଜନ୍ମବେଦୀକୁ ଯାଇଛନ୍ତି।  କୋଭିଡ କଟକଣା ଭିତରେ ଐତିହାସିକ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସରିବା ପରେ ଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ତିନିରଥକୁ କଡା ସୁରକ୍ଷା ମଧ୍ୟରେ ରଖାଯାଇଛି। ଆଜି ରଥ ଉପରେ ହିଁ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ମଙ୍ଗଳଆଳତୀ, ମଇଲମ, ତଡ଼ପ ଲାଗି, ଅବକାଶ, ଗୋପାଳ ବଲ୍ଲଭ ଭୋଗ ପରେ ସକାଳଧୂପ, ଭୋଗମଣ୍ଡପ ଓ ମଧ୍ୟାହ୍ନ ଧୂପ ସଂପନ୍ନ ହୋଇଥିଲା। ମାଘସ୍ନାନ, ସଂଧ୍ୟାଆଳତୀ, ପୁଷ୍ପାଞ୍ଜଳି ଓ ଡୋରଲାଗି ପରେ ଚାରମାଳ ବନ୍ଧାଯାଇ ଅପରାହ୍ନରେ ପହଣ୍ଡି ଆରମ୍ଭ ହୋଇଥିଲା। ଗତକାଲି ପରି ଆଜି ମଧ୍ୟ ସଅଳ ନୀତି ହୋଇଥିଲା । ମହାପ୍ରଭୂ ଆଡପ ମଣ୍ଡପରେ ଥିଲେ ବି ଭକ୍ତ ଦର୍ଶନ କରିପାରିବେ ନାହିଁ।


ଆଡ଼ପ ମଣ୍ଡପରେ ଶ୍ରୀଜିଉ ପହଞ୍ଚିବା ପରେ ଦହି ପଖାଳ ଭୋଗ, ବଡ଼ସିଂହାର ବେଶ ଓ ରାତ୍ର ପହୁଡ ହେବ । ଆସନ୍ତାକାଲି ଠାରୁ ଆଡ଼ପ ଅଭଡ଼ା ବାହାରିବ। ଗୁଣ୍ଡିଚା ମନ୍ଦିର ଆଡ଼ପ ଅଭଡ଼ା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ନୃସିଂହ ମନ୍ଦିର ଓ ବସଷ୍ଟାଣ୍ଡରେ ଅଭଡ଼ା ବିକ୍ରୀର ବ୍ୟବସ୍ଥା ହେବ। ଏଥିପାଇଁ ଜିଲ୍ଲାପାଳ ସୁଆର ମହସୁଆର ନିଯୋଗ ସହ ଆଲୋଚନା କରି ବ୍ୟବସ୍ଥା ଅନୁଧ୍ୟାନ କରିଛନ୍ତି । ଶ୍ରଦ୍ଧାଳୁ ଯେକୌଣସି ଦୁଇଟି କେନ୍ଦ୍ରରୁ ଟୋକନ ନେଇ ରସିଦ ସଂଗ୍ରହ ପରେ ଅଭଡ଼ା ପାଇପାରିବେ।

adapa mandap bije