ରେଖାଙ୍କ ସୁରକ୍ଷାକର୍ମୀ କରୋନା ପଜିଟିଭ୍‌; ସିଲ୍‌ ହେଲା ବଙ୍ଗଳା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରେଖାଙ୍କ ବାନ୍ଦ୍ରାସ୍ଥିତ ବଙ୍ଗଳାର କିଛି ସ୍ଥାନ ସିଲ୍‌ ହୋଇଛି। ଗତ ମଙ୍ଗଳବାର ରେଖାଙ୍କ ସୁରକ୍ଷାକର୍ମୀଙ୍କ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ପୂରା ବଙ୍ଗଳାକୁ ସିଲ କରାଯାଇ ନଥିଲା ବୋଲି କୁହାଯାଉଛି। ଆଜି ବିଏମ୍‌ସି ବଙ୍ଗଳାର କମ୍ପାଉଣ୍ଡରର କିଛି ସ୍ଥାନ ସିଲ କରିଥିଲା। ଯେଉଁଠାରେ ଷ୍ଟାଫ୍‌ମାନେ ରହୁଥିଲେ।

ଏଥିପାଇଁ ବିଏମ୍‌ସି ରେଖାଙ୍କ ବଙ୍ଗଳା ବାହାରେ ସିଲ ହେବାର ସାଇନ୍‌ ମଧ୍ୟ ଲଗାଇ ଦେଇଛି। କୋଭିଡ-୧୯ ରିପୋର୍ଟ ପଜିଟିଭ୍‌ ଆସିବା ପରେ ରେଖା ସିକ୍ୟୁରିଟି ଗାର୍ଡଙ୍କୁ କରୋନା ଚିକିତ୍ସା ପାଇଁ କରୋନା ସେଣ୍ଟରରେ ଭର୍ତ୍ତି କରାଯାଇଛି। ଏଥିସହିତ ଉକ୍ତ ସୁରକ୍ଷାକର୍ମୀଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ଏହି ପରୀକ୍ଷା ରିପୋର୍ଟ ଆସିବା ବାକି ରହିଛି।

ରେଖା ମୁମ୍ବାଇର ବାନ୍ଦ୍ରାର ବଙ୍ଗଳାରେ ରହୁଥିଲେ। ବଙ୍ଗଳାର ସୁରକ୍ଷା ପାଇଁ ଦୁଇଜଣ ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ଦୁଇ ସୁରକ୍ଷାକର୍ମୀଙ୍କ ମଧ୍ୟରୁ ଜଣଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାପରେ ବିଏମ୍‌ସି ଅଧିକାରୀ ରେଖାଙ୍କ ବଙ୍ଗଳା ବାହାରେ ଏକ ନୋଟିସ୍‌ ଲଗାଇଛନ୍ତି। ଯେଉଁଥିରେ ବଙ୍ଗଳାକୁ କଣ୍ଟେଣ୍ଟମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ସୂଚନା ରହିଛି। ଏଥିସହିତ ରେଖାଙ୍କ ବଙ୍ଗଳାକୁ ସାନିଟାଇଜ ମଧ୍ୟ କରାଯାଇ ସାରିଛି।

ଅଭିନେତ୍ରୀ ରେଖାଙ୍କ ପୂର୍ବରୁ ଜାହ୍ନବୀ କପୁର, ଅମୀର ଖାନ୍‌ , କରଣ ଜୋହର ସମେତ ଅନ୍ୟ ସେଲିବ୍ରିଟିଙ୍କ ସୁରକ୍ଷାକର୍ମୀଙ୍କ କରୋନାରେ ସଂକ୍ରମିତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଗତକାଲି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ୍‌ କରୋନା ଆକ୍ରାନ୍ତ ହେବାର ସୂଚନା ଟୁଇଟ୍‌ କରି ଜଣାଇବାର କିଛି ସମୟ ପରେ ଅନୁରୂପ ଟୁଇଟ୍‌ କରିଥିଲେ। ତାଙ୍କର ପୁତ୍ର ତଥା ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ୍‌ ଟୁଇଟ କରି କହିଥିଲେ କି, ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । କେବଳ ଏତିକି ନୁହେଁ ଆଜି ଅନୁପମ ଖେରଙ୍କ ମା’ କରୋନା ଆକ୍ରାନ୍ତ ହୋଇଥିବା ଜଣା ପଡିଛି ତାଙ୍କ ମା’ଙ୍କ ସମେତ ତାଙ୍କ ଭାଇ, ଭାଉଜ ଏବଂ ଝିଆରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ଟୁଇଟ କରି ଜଣାଇଛନ୍ତି ଅଭିନେତା ଅନୁପମ ଖେର।