କଙ୍ଗନାଙ୍କୁ ଘେରିଲା ଶିବସେନା; ଡ୍ରଗ୍ସ କନେକ୍ସନର ହେବ ତଦନ୍ତ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ଶିବସେନା ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ବଢ଼ିବାରେ ଲାଗିଛି । ଏବେ କଙ୍ଗନାଙ୍କ ଉପରେ ଶିବସେନା ଆଉ ଏକ ନୂଆ ଆରୋପ ଲଗାଇଛି । କଙ୍ଗନା ଡ୍ରକ୍ସ ସେବନ କରୁଥିବା ନେଇ ଶିବସେନା ଅଭିଯୋଗ କରିଛି । ଏହାପରେ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଡ୍ରଗ୍ସ କନେକ୍ସନ ଯାଞ୍ଚ କରିବାକୁ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ କଙ୍ଗନାଙ୍କ ଏକ୍ସ ବଏଫ୍ରେଣ୍ଡ ଅଧ୍ୟୟନ ସୁମନଙ୍କ ପୁରୁଣା ଇଣ୍ଟରଭ୍ୟୁ ଆଧାରରେ ବର୍ତ୍ତମାନ କଙ୍ଗନା ଡ୍ରଗ୍ସ ସେବନ କରୁଥିବା ନେଇ ଯାଞ୍ଚ ହେବ ।

ଶିବସେନା ନେତା ସୁନୀଲ ପ୍ରଭୁ ଏବଂ ପ୍ରତାପ ସରନାୟକ ଅଧ୍ୟୟନ ସୁମନଙ୍କ ପୁରୁଣା ଇଣ୍ଟରଭ୍ୟୁର ଏକ କପି ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତର କରିଛନ୍ତି । ଏହାର ଜବାବରେ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଅଧ୍ୟୟନ ସୁମନଙ୍କ ସହ କଙ୍ଗନାଙ୍କ ସମ୍ପର୍କ ଥିଲା । ସେ ନିଜର ଏକ ଇଣ୍ଟରଭ୍ୟୁରେ ଆରୋପ ଲଗାଇଥିଲେ ଯେ କଙ୍ଗନା ଡ୍ରଗ୍ସ ନିଅନ୍ତି ଏବଂ ତାଙ୍କୁ ମଧ୍ୟ ଜୋର ଜବରଦସ୍ତ ଡ୍ରଗ୍ସ ଦିଅନ୍ତି । ଏହାପରେ ସରକାର ପୁରା ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି । ମହାରାଷ୍ଟ୍ର ପୋଲିସ ଏହି ମାମଲାର ତଦନ୍ତ କରିବ ।

ଏହି ଅଭିଯୋଗ ଜବାବରେ କଙ୍ଗନା କହିଛନ୍ତି ଯେ, ସେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ମୁମ୍ବାଇ ପୋଲିସ ପ୍ରତି ଆଭାରୀ । ମୁମ୍ବାଇ ପୋଲିସ ତାଙ୍କର ଡ୍ରଗ୍ସ ସେବନ ନେଇ ତଦନ୍ତ କରୁ, ତାଙ୍କର ଫୋନ କଲ ଯାଞ୍ଚ କରୁ, ଯଦି କୌଣସି ଡ୍ରଗ୍ସ ଲିଙ୍କ ପାଆନ୍ତି ତାହେଲେ ସେ ନିଜର ଦୋଷ ସ୍ୱୀକାର କରିବେ ଓ ସବୁଦିନ ପାଇଁ ମୁମ୍ବାଇ ଛାଡ଼ିଦେବେ ବୋଲି କହିଛନ୍ତି ।