କଂଗ୍ରେସ ଛାଡ଼ିଲେ ବଲିଉଡ ଅଭିନେତ୍ରୀ ଉର୍ମିଳା

ମୁମ୍ୱାଇ: ମାତ୍ର ୫ ମାସ ପାଇଁ କଂଗ୍ରେସରେ ରହି ନିରାଶ ହୋଇଗଲେ ବଲିଉଡ ଅଭିନେତ୍ରୀ ତଥା ଉତ୍ତର ମୁମ୍ୱାଇ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତୋଣ୍ଡେକର। ଆଜି ସେ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ଇସ୍ତଫା ବାବଦରେ କହିଛନ୍ତି। ଦଳରେ ରହି କିଛି କରିବାକୁ ସୁଯୋଗ ଦେଇଥିବାରୁ ଦଳକୁ ଧନ୍ୟବାଦ ଦେଇଛନ୍ତି ଉର୍ମିଳା। ଆଗାମୀ ଦିନରେ ଲୋକଙ୍କ ପାଇଁ ବ୍ୟକ୍ତିଗତ ଭାବରେ ସେବା କରିବେ ବୋଲି ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି।

ସୂଚନାଯୋଗ୍ୟ କଂଗ୍ରେସ ନେତା ସଞ୍ଜୟ ନିରୂପମଙ୍କ ପାଖ ଲୋକ ଉର୍ମିଳାଙ୍କୁ ନେଇ ନିର୍ବାଚନ ବେଳେ ବାରମ୍ୱାର ସମାଲୋଚନା କରିଥିଲେ। ଏହାକୁ ନେଇ ଉର୍ମିଳା ମେ ୧୬ରେ ତତ୍କାଳୀନ ମୁମ୍ୱାଇ କଂଗ୍ରେସ ସଭାପତି ମିଲିନ୍ଦ ଦେଓରାଙ୍କୁ ଚିଠି ଲେଖି ଅବଗତ କରାଇଥିଲେ। ହେଲେ ଅଭିଯୋଗକୁ ଗୁପ୍ତ ରଖିବା ପରିବର୍ତ୍ତେ ଦଳର କିଛି ଲୋକ ମିଡିଆରେ ତାଙ୍କ ଅଭିଯୋଗ ପତ୍ରକୁ ଛାଡି ଦେଇଥିଲେ। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି କହିଛନ୍ତି। ଏମିତିକି ତାଙ୍କ ଅଭିଯୋଗ ବାବଦରେ କୌଣସି ନିଷ୍ପତ୍ତି ନିଆନଯିବାରୁ ଇସ୍ତଫା ବାବଦରେ ଚିନ୍ତା କରିଥିଲେ ବୋଲି ଉର୍ମିଳା କହିଛନ୍ତି।

୪୪ ବର୍ଷୀୟ ଉର୍ମିଳା ଲୋକସଭା ନିର୍ବାଚନ ବେଳେ ଉତ୍ତର ମୁମ୍ୱାଇରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ଗୋପାଳ ସେଠୀଙ୍କ ପାଖରୁ ପରାଜିତ ହୋଇଥିଲେ। ମାର୍ଚ୍ଚରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ୍ ହୋଇଥିଲେ। କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିଲେ ବୋଲି ସେତେବେଳେ ସେ କହିଥିଲେ।