ଆରଡ଼ି ପୀଠରେ ଭକ୍ତଙ୍କ ସେବାପୂଜାକୁ ନେଇ ବିବାଦ : ସେବାୟତ-ସେବାୟତଙ୍କ ମଧ୍ୟରେ ଏସିଡ୍ ମାଡ଼

ଭଦ୍ରକ : ଭକ୍ତଙ୍କ ସେବାପୂଜାକୁ ନେଇ ବିବାଦ । ମନ୍ଦିର ପରିସରରେ ସେବାୟତ-ସେବାୟତଙ୍କ ମଧ୍ୟରେ ଏସିଡ୍ ମାଡ଼ । ଭଦ୍ରକ ଆରଡ଼ି ପୀଠରେ ଏମିତି ଘଟିଛି । ଉଭୟ ସେବାୟତ ଗୋଷ୍ଠୀର ୮ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ୍ ।

ଏସିଡ୍ ମାଡ଼ରେ ଜଳିଯାଇଛି ସେବାୟତଙ୍କ ଶରୀର । ଜଣେ କି ଦୁଇ ଜଣ ନୁହେଁ, ଏମିତି ୮ ଜଣେ ସେବାୟତଙ୍କ ଉପରେ ପଡ଼ିଛି ଏସିଡ୍ । ଏ ସେବାୟତମାନେ ହେଉଛନ୍ତି ପ୍ରସିଦ୍ଧ ଶୈବପୀଠ ଭଦ୍ରକ ଆରଡ଼ିର ।ତେବେ ଏମାନଙ୍କ ଉପରେ ବାହାର ଲୋକ କେହି ଏସିଡ୍ ମାଡ଼ କରିନାହାନ୍ତି, ବରଂ ଭକ୍ତଙ୍କ ସେବାପୂଜାକୁ ନେଇ ନିଜ-ନିଜ ଭିତରେ ଗଣ୍ଡଗୋଳରୁ ଏମିତି ହୋଇଛି ।

ଆରଡି ପୀଠକୁ ଆସିଥିବା ଭକ୍ତଙ୍କୁ ଜମେ ସେବାୟତ ନିଜ ଘରକୁ ନେଇ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ । ଯାହାକୁ ଆରମ୍ଭ ହେଲା ଝଗଡ଼ା । ଗତକାଲି ବିଳମ୍ବିତ ରାତିରେ ସେବାୟତ ଦୈତାରୀ ପାଢ଼ୀଙ୍କୁ ବିପକ୍ଷ ସେବାୟତ ଏସିଡ ପିଙ୍ଗିଥିଲେ । ସେହି ସ୍ଥାନରେ ଥିବା ଅନ୍ୟ ସେବାୟତଙ୍କ ଉପରେ ମଧ୍ୟ ଏସିଡ୍ ପଡ଼ିଥିଲା । ଉଭୟ ଗୋଷ୍ଠୀର ୮ ଜଣ ସେବାୟତ ଏସିଡ୍ ମାଡ଼ରେ ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ଆରଡ଼ି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ୨ ଜଣଙ୍କୁ ଛାଡ଼ି ଦିଆଯାଇଛି । ଅନ୍ୟମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସେବାୟତ ସୂର୍ଯ୍ୟମଣି ପାଢ଼ୀ ଓ ମୃତ୍ୟୁଞ୍ଜୟ ପାଢ଼ୀଙ୍କୁ ଧୁସୁରୀ ପୋଲିସ ଗିରଫ କରିଛି ।

ଧର୍ମୀୟ ଭାବନା ନେଇ ମନସ୍କାମନା ପୂରଣ ନିମନ୍ତେ ଭକ୍ତ ଆସୁଛନ୍ତି । ହେଲେ ଭକ୍ତଙ୍କୁ ଶୋଷିବାକୁ ସେବାୟତ ଖୋଳ ଭିତରେ ଏମାନେ ଜଣେ ଜଣେ ଦଲାଲ୍ କହିଲେ ଭୁଲ୍ ହେବନି । ଯଦି ନିଜ ନିଜ ଭିତରେ ଏମାନେ ଏସିଡ୍ ଫିଙ୍ଗାଫିଙ୍ଗି ହେଉଛନ୍ତି, ଭକ୍ତଙ୍କ ଉପରକୁ ନଫିଙ୍ଗିବେ ବୋଲି କିଏ କହିବ ?