ଓଲଟିଲା ବରଯାତ୍ରୀ ଗାଡ଼ି; ଜଣେ ମୃତ, ୫ ଆହତ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡ଼ପିଛୁଳା ଛକରେ ଗତକାଲି ଏକ ବରଯାତ୍ରୀ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ରଘୁନାଥପୁର ଗାଁର ଗୋଲଖ ପ୍ରଧାନଙ୍କ ପୁଅ ସ୍ୱାଧୀନ (୨୦)। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ହରିଚନ୍ଦନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଗାଡ଼ି ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ରଘୁନାଥପୁର ଗାଁର ଜଣେ ଯୁବକଙ୍କ ବାହାଘର ଥିଲା। ଖମାର ନିକଟସ୍ଥ ଏକ ଗାଁରେ ଏହି ବାହାଘର ହୋଇଥିଲା। ମୃତାହତମାନେ ଏହି ବାହାଘରରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସେମାନେ ଯେଉଁ ଭ୍ୟାନ୍‌ରେ ଯାଉଥିଲେ, ତାହା ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।