କୁକୁଡି ଯୋଗୁ ଘରେ ପଶିଲା ହାଇୱା

ନିଶ୍ଚିତକୋଇଲି: ଘନ କୁକୁଡି ଯୋଗୁଁ ବୁଧବାର ସକାଳେ ଏକ ହାଇୱା ଟ୍ରକ୍ ଭାରସାମ୍ୟ ହରାଇ ଜଣଙ୍କ ଘରକୁ ପଶିଯାଇଛି । ଏହି ଘଟଣାରେ ଗାଡିର ଡ୍ରାଇଭର ଓ ହେଲପର ଗୁରୁତର ଆହତ ଥିବା ଜଣାପଡ଼ିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତକୋଇଲିର ପି.ସି କଲେଜ ଛକଠାରେ । ହାଇୱା ଟ୍ରକ୍ଟି କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ସମୟରେ ପି.ସି କଲେଜ ଛକଠାରେ ଥିବା ଡ଼ମ୍ବରୁଧର ସାହୁଙ୍କ ଘର ଭିତରେ ପଶିଯାଇଥିଲା । ଏହି ଘଟଣାରେ ଡମ୍ବରୁଧର ପରିବାର ଲୋକେ ଅଳ୍ପକେ ବର୍ତି ଯାଇଥିବାବେଳେ ଡ୍ରାଇଭର ପ୍ରଭାତ(୪୫) ଏବଂ ହେଲପର ପ୍ରମୋଦ ବେହେରା(୩୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ନିଶ୍ଚିତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।