ଟ୍ରକର ପଛପଟକୁ ଧକ୍କା ଦେଲା ବୋଲେରୋ; ୨ ମୃତ; ୭ ଗୁରୁତର

ବଲାଙ୍ଗିର: ବଲାଙ୍ଗିର-ସୋନପୁର ରାସ୍ତାର ବଇରାସ ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକର ପଛପଟକୁ ଧକ୍କା ଦେଲା ବୋଲେରୋ । ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବଳେ ୭ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଉଛନ୍ତି ଶକୁନ୍ତଳା ସାହୁ ଓ ତେଜୁ ବାଗ୍ ।

ସମସ୍ତ ମୃତାହାତଙ୍କ ଘର ପାଟଣାଗଡ଼ ଥାନା ଅନ୍ତର୍ଗତ ଘୁମେର ଗାଁର। ସୂଚନା ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଗାଁର ୧୫ ଜଣ ମହିଳା ଓ ପୁରୁଷ ବୋଲେରୋରେ ଯୋଗେ ପୁରୀ ଅଭିମୁଖେ ଯାଉଥିଲେ। ଏହି ସମୟରେ ବଇରାସ ନିକଟରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ବୋଲେରୋଟି ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ ହସ୍ପିଟାଲରେ ଭର୍ତି କରିଛନ୍ତି।