ପୁଣି କ୍ଷମା ମାଗିଲେ ଅଭିଜିତ, ୨୩ରେ ବିଧାନସଭା ଗୃହ କମିଟି ଆଗରେ ହେବେ ହାଜର

ଭୁବନେଶ୍ବର  : ଅକ୍ଟୋବର ୨୩ରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ ଆୟାର ମିତ୍ର । ୨୨ରେ ଓଡ଼ିଶା ଆସିବି, ୨୩ରେ ଗୃହ କମିଟି ଆଗରେ ହାଜର ହେବି ବୋଲି ଅଭିଜିତ୍ ଏକ ସାକ୍ଷାତକାରରେ କହିଛନ୍ତି । ଓଡ଼ିଶା ସଂସ୍କୃତି ଉପରେ ଦେଇଥିବା ଅରୁଚିକର ମନ୍ତବ୍ୟ ପାଇଁ ପୁଣି କ୍ଷମାପ୍ରାର୍ଥନା କରିଛନ୍ତି ଅଭିଜିତ୍ ।  କହିଛନ୍ତି, ଓଡ଼ିଶା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ଭାତୀୟ ସଂସ୍କୃତିକୁ ଓଡ଼ିଶାର ଅବଦାନ ଯଥେଷ୍ଟ । ଯଦି ମୋ ମନ୍ତବ୍ୟ କାହାକୁ ଆଘାତ ଦେଇଛି ସେଥିପାଇଁ ମୁଁ କ୍ଷମାପ୍ରାର୍ଥନା କରୁଛି । ଏଥିରେ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା । ଟ୍ବିଟରକୁ ମୁଁ ମନୋରଂଜନ ପାଇଁ ବ୍ୟବହାର କରେ ବୋଲି କହିଛନ୍ତି ।

ଗତ ୧୧ରେ ଅଭିଜିତ୍ ବିଧାନସଭା ଗୃହ କମିଟି ଆଗରେ ହାଜର ହେବାର ଥିଲା । କିନ୍ତୁ ବାତ୍ୟା ବାହାନାରେ ଆସିନଥିଲେ । ବାଚସ୍ପତିଙ୍କ ନିକଟକୁ ପଠାଇଥିବା ଇମେଲରେ ଓଡିଶାର ସଂସ୍କୃତି, ଜଗନ୍ନାଥ ଓ କୋଣାର୍କ ମନ୍ଦିର ଉପରେ ଯେଉଁ ଟିକ୍କା ଟିପ୍ପଣୀ ଦେଇଥିଲେ ତାହା ଅକ୍ଷମଣୀୟ ଅପରାଧ ବୋଲି ଲେଖିଥିଲେ। । ଏଭଳି ଏକ ଭୁଲ୍ ପାଇଁ ସେ କ୍ଷମା ମାଗୁଛନ୍ତି ବୋଲି ଦର୍ଶାଇଥିଲେ । କିନ୍ତୁ ଗୃହ କମିଟି ଆଗରେ ହାଜର ହେବାକୁ ପ୍ରତିଶ୍ରୁତି ଦେଇ ମଧ୍ୟ ହାଜର ନହେବାରୁ ତାଙ୍କୁ ପୁଣି ଅକ୍ଟୋବର ୨୩ରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା ।