ଭାରତୀୟ ପୋଷାକ ପରିଧାନ କରି ନବୋଲ ପୁରସ୍କାର ଗ୍ରହଣ କଲେ ଅଭିଜିତ୍ ବାନାର୍ଜୀ

ନୂଆଦିଲ୍ଲୀ: ଭାରତୀୟ-ଆମେରିକୀୟ ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ ପୁଣିଥରେ ଚର୍ଚ୍ଚାରେ । ସେ ନୋବାଲ ପୁରସ୍କାର ଉତ୍ସବରେ ଭାରତୀୟ ପୋଷାକ ପରିଧାନ କରି ଯୋଗ ଦେବା ସହ ପୁରସ୍କାର ଗ୍ରହଣ କରିଥିଲେ । ତେବେ ତାଙ୍କର ଏଭଳି ଲୁକ୍ ସମସ୍ତଙ୍କୁ ବେଶ୍ ଆକୃଷ୍ଟ କରିଛି । ତେବେ ସେ ବନ୍ଦଗଳା ଜ୍ୟାକେଟ ସହ ଧୋତି ପିନ୍ଧି ନୋବେଲ ପୁରସ୍କାର ଗ୍ରହଣ କରିବାକୁ ଯାଇଥିଲେ ।

ଏସ୍ଟର ଡଫ୍ଲୋ, ଯିଏ ପୁରସ୍କାରକୁ ମିଳିତ ଭାବେ ହାସଲ କରିଛନ୍ତି ସେ ମଧ୍ୟ ନୀଳ ରଙ୍ଗର ଶାଡୀ ପିନ୍ଧିଥିଲେ । ସେହିପରି ତାଙ୍କ ସହଯୋଗୀ ମାଇକଲ କ୍ରେମର ମଧ୍ୟ ସୁଟ ପିନ୍ଧି ପହଞ୍ଚିଥିଲେ । ଏହି ପୁରସ୍କାର ବିଶ୍ୱ ସ୍ତରରେ ଉଲ୍ଲେଖନୀୟ କାମ ପାଇଁ ଦିଆଯାଇଥାଏ ।

ଅନ୍ୟପଟେ, ତିନି ବିଜେତାଙ୍କ ମଧ୍ୟ ୯ ମିଲିୟନ ସ୍ୱିଡିଶ କ୍ରୋନ( ପ୍ରାୟ ୬.୫ କୋଟି ଟଙ୍କା) ପୁରସ୍କାର ରୁପେ ଦିଆଯାଇଛି, ଯାହାକୁ ସେମାନ ସମାନ ଭାଗରେ ବାଣ୍ଟିବେ । ମୁମ୍ୱାଇରେ ଜନ୍ମିତ ବାନାର୍ଜୀ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାର ହାସଲ କରିଥିବା ଅମର୍ତ୍ୟ ସେନଙ୍କ ପରେ ଦ୍ୱିତୀୟ ଭାରତୀୟ । ସେନଙ୍କ ପରି, ବାନାର୍ଜୀ ମଧ୍ୟ ପ୍ରେସିଡେନ୍ସି କଲେଜର ପୂର୍ବତନ ଛାତ୍ର, ଯାହା ଏବେ ପ୍ରେସିଡେନ୍ସି ବିଶ୍ୱବିଦ୍ୟାଳୟ ନାଁରେ ପରିଚିତ ।

ଉଲ୍ଲେଖଯୋଗ୍ୟ ଯେ, ସ୍ୱିଡେନର ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ଜନ୍ମ ଜୟନ୍ତୀରେ ନୋବେଲ ଫାଉଣ୍ଡେସନ ଦ୍ୱାରା ପ୍ରତିବର୍ଷ ଦିଆଯାଉଥିବା ଏହା ବିଶ୍ୱର ସର୍ବୋଚ୍ଚ ସମ୍ମାନ । ନୋବେଲ ପୁରସ୍କାର ଶାନ୍ତି, ସାହିତ୍ୟ, ପଦାର୍ଥ ବିଜ୍ଞାନ, ରୟାସନ ବିଜ୍ଞାନ, ଏବଂ ଅର୍ଥଶାସ୍ତ୍ରରେ ଦିଆଯାଇଥାଏ ।