ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେଇ ଅଧିକରୁ ଅଧିକ ଅଭଦ୍ରାମି ଦେଖାଉଛନ୍ତି ଅଭିଜିତ, ଗିରଫ ଦାବି

ଭୁବନେଶ୍ବର : ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେଇ ପୂରା ଓଡ଼ିଆ ଜାତିକୁ ଉସକାଇଥିବା ଅଭିଜିତ ଆୟାର ମିତ୍ରଙ୍କୁ ନେଇ ଆଜି ବି ଚାରିଆଡ଼େ ଚର୍ଚ୍ଚା । ତୁରନ୍ତ ତାଙ୍କୁ ଗିରଫ କରିବାକୁ ସବୁ ରାଜନୈତିକ ଦଳ ଦାବି କରିଛନ୍ତି । ବିଧାନସଭାରେ ବି ଉଠିଛି ପ୍ରସଙ୍ଗ । ହେଲେ ଅଭିଜିତ କିନ୍ତୁ ନା ଅନୁତାପ କରୁଛନ୍ତି ନା ପଶ୍ଚାତାପ । ବରଂ ଅଧିକରୁ ଅଧିକ ଉତୁରିବାରେ ଲାଗିଛନ୍ତି । ଟ୍ୱିଟରେ ତାଙ୍କୁ ଯେଉଁ ପ୍ରଶ୍ନ କରାଯାଉଛି, ତାକୁ ସେ ତାତ୍ସଲ୍ୟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଯୋଡୁଛନ୍ତି । ଗତବର୍ଷ ବି ଓଡ଼ିଶା ଉପରେ ବହୁ ଆପତ୍ତିଜନକ ମନ୍ତବ୍ୟ ଟ୍ବିଟରରେ କରିଥିଲେ ସେ । ସେତେବେଳେ ଯଦି ତାଙ୍କ ବିରୋଧରେ ଆକ୍ସନ୍ ହୋଇଥାନ୍ତା, ଆଜି ବୋଧେ ଏଭଳି ସ୍ଥିତି ଉପୁଜି ନଥାନ୍ତା ।

ସବୁ ସୀମା ଡେଉଁଛନ୍ତି ଅଭିଜିତ୍ ଆୟାର ମିତ୍ର । କୋଣାର୍କ ଏବଂ ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେଇ ଓଡ଼ିଆଙ୍କ ସ୍ବାଭିମାନ ଓ ଅସ୍ମିତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଅଭିଜିତଙ୍କୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ତୀବ୍ର   । ଦଳମତ ନିର୍ବିଶେଷରେ ସବୁ ନେତା ତାଙ୍କ ଗିରଫଦାରୀ ଦାବି କରିଛନ୍ତି । ବିଧାନସଭା ଶୂନ୍ୟକାଳରେ ବିଜେଡି ଏହି ପ୍ରସଙ୍ଗ ଉଠାଇ ବୈଜୟନ୍ତ ପଣ୍ଡାଙ୍କୁ ଯୋଡ଼ିଛି । ଅଭିଜିତଙ୍କ ସହ ବୈଜୟନ୍ତଙ୍କ ଗିରଫଦାରୀ ମଧ୍ୟ ଦାବି କରିଛି ବିଜେଡି ।

ଟ୍ବିଟରରେ ମନ୍ତବ୍ୟ ଦେଲେ ଅଧିକରୁ ଅଧିକ ଅଭଦ୍ରାମି ଦେଖାଉଛନ୍ତି ଅଭିଜିତ । ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା ବାବଦରେ କଣ ଜାଣିଛ ବୋଲି ପଚାରିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିବାଦକୁ ଟାଣୁଛନ୍ତି । ଏଭଳି ଉଦ୍ଧତଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହେଉଛି ।

୨୦୧୭ରେ ଅଭିଜିତ ଆୟାର ମିତ୍ର, ଓଡ଼ିଶା ଉପରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଓଡ଼ିଶାକୁ ବଙ୍ଗାଳୀ ମାନେ ଉଦ୍ଭାବନ କରିଛନ୍ତି, ଓରି ଶଳା ଶବ୍ଦରୁ ଓରିଶା ଆସିଛି, ଓଡ଼ିଶା ବୋଲି କିଛି ନାହିଁ, ଏହା ବେଙ୍ଗଲର ଦକ୍ଷିଣ ପ୍ରଗଣା ଭାବେ ଗଣାଯାଉଥିଲା ବୋଲି କହିଥିଲେ । ପୁଣି ଜଗନ୍ନାଥ ବଙ୍ଗାଳୀଙ୍କ ଠାକୁର ଏବଂ ଓଡ଼ିଆମାନେ ତାଙ୍କୁ ଚୋରାଇ ଚୋରାଇ ଆଣିଥିବା ଭଳି ବିବାଦୀୟ ମନ୍ତବ୍ୟ ମଧ୍ୟ ଦେଇଥିଲେ ତେବେ ସେତେବେଳେ ତାଙ୍କର ଏହି ଟ୍ବିଟ୍ ଉପରେ ଯଦି ଆକ୍ସନ୍ ହୋଇଥାନ୍ତା, ଆଜି ସେ ଭୁଲର ପୁନରାବୃତ୍ତି କରି ନଥାନ୍ତେ ।