ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟବହାର ହୋଇପାରିବନି ବିଜୁପକ୍କାଘର ଲୋଗୋ

ରାଜ୍ୟସରକାରଙ୍କୁ କେନ୍ଦ୍ରର ଚିଠି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ଲାଗିପାରିବ ନାହିଁ ବିଜୁ ପକ୍କାଘର ଲୋଗୋ ।  ବିଜୁ ପକ୍କାଘର ଲୋଗୋ ନ ଲଗାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।  ମାର୍ଚ୍ଚ ୩୦ରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏବାବଦରେ ଜଣାଇଛନ୍ତି ।  ଚିଠିରେ ଉଲ୍ଲେଖ ଅଛି ଯେ ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ।  ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କାଘର ଯୋଜନାର ଲୋଗୋ ଲାଗିପାରିବ ନାହିଁ ।  ଏହି ଯୋଜନାରେ ରାଜ୍ୟ ସରକାର ନିଜସ୍ୱ କୌଣସି ଲୋଗୋ ବ୍ୟବହାର କରିପାରିବେ ନାହିଁ ବୋଲି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି ।  ସୂଚନା ଥାଉ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ବ୍ୟବହାର ନେଇ ପ୍ରଥମେ ବିଜେପି ଅଭିଯୋଗ କରିଥିଲା ।

ଭାରତୀୟ ଜନତା ପାର୍ଟି ପ୍ରଥମେ ଡ଼ିସେମ୍ବର ମାସରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ନିର୍ମିତ ପକ୍କା ଘରେ ବିଜୁ ପକ୍କାଘର ଯୋଜନାର ବଡ଼ ଷ୍ଟିକର ମାରିବା ଘଟଣା ଉଠାଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲୋକଙ୍କୁ ମିଳିଥିବା ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାର ଦୁଇଟି ଯାକ ଲୋଗୋ ଥାଇ ଷ୍ଟିକର୍‌ ଲଗାଯିବା ନେଇ ପ୍ରଥମେ ବିରୋଧ କରିଥିଲା ବିଜେପି । ପରବର୍ତ୍ତୀ ପର୍ଯ୍ୟାୟରେ ଡ଼ିସେମ୍ବର ମାସରେ ରାଜ୍ୟର ବିଭିନ୍ନ ବ୍ଲକ ସମ୍ମୁଖରେ ଓ ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀଙ୍କ ଚଞ୍ଚକତାପୂର୍ଣ୍ଣ ଚିଠି ଏବଂ ବିଜୁ ପକ୍କାଘର ଷ୍ଟିକରକୁ ବିଜେପିର କାର୍ଯ୍ୟକର୍ତ୍ତାମାନେ ଚିରିବା ସହ ପୋଡ଼ିଥିଲେ । ଏହା ପରେ ଗାଁ ଗାଁରେ ବିଜେପି କାର୍ଯ୍ୟକର୍ତ୍ତାମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଘରେ ବିଜୁ ପକ୍କା ଘର ଯୋଜନାର ଷ୍ଟିକର ଲଗାଇବା ନେଇ ବିରୋଧ କରିଥିଲେ ।  ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଧାୟକମାନେ ରାଜ୍ୟପାଳଙ୍କୁ ଦେଖାକରିବା ସହ ଏହି ଷ୍ଟିକର ହଟାଇବା ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ ।  ବିଜେପିର ସାଂସଦମାନେ ଫେବୃୟାରୀ 12 ତାରିଖରେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଭେଟି ଏ ପ୍ରସଙ୍ଗରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ମାର୍ଚ୍ଚ 30 ତାରିଖରେ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗର ପ୍ରମୁଖ ସଚିବ ଓଡ଼ିଶା ସରକାରଙ୍କୁ ଚିଠି ଲେଖି ବିଜୁ ପକ୍କା ଘର ଲୋଗୋ ଅନୁମୋଦିତ ନୁହେଁ ଏବଂ ଏହାକୁ ରାଜ୍ୟ ସରକାର ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।

ଆଉ ଏହାକୁ ବିରୋଧ କରି ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ମଧ୍ୟ ବିଜେପି ପକ୍ଷରୁ ଦିଆଯାଇଥିଲା ।  ଏହା ପରେ ବିଜେପି ପ୍ରତିନିଧିମଣ୍ଡଳୀ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ବ୍ୟକ୍ତିଗତ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲା ।  ଆଉ ଏହା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।