ଲଂଚ ହେଲା ଆରୋଗ୍ୟ ସେତୁ: କୋଭିଡ୍‌-୧୯କୁ ଟ୍ରାକିଂ କରିବ ଏହି ଆପ୍‌

ନୂଆଦିଲ୍ଲୀ: କୋଭିଡ ୧୯ ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି । ଅନଲାଇନ ଓ ଅଫଲାଇନ ଉଭୟରେ ସରକାର ଲୋକଙ୍କୁ ସମସ୍ତ ସୂଚନା ଦେଉଛନ୍ତି । କିପରି ଏହି ମହାମାରୀ କବଳରୁ ଦେଶବାସୀ ରକ୍ଷା ପାଇବେ ସେଥିପାଇଁ ସରକାର ସବୁପ୍ରକାର ଆଡଭାନ୍ସ ବ୍ୟବସ୍ଥା ଆପଣାଉଛନ୍ତି । ନିକଟରେ ସରକାର ଏକ ଅନଲାଇନ ଆପ୍ ଆରୋଗ୍ୟ ସେତୁ ଉଦଘାଟନ କରିଛନ୍ତି ।

ଆରୋଗ୍ୟ ସେତୁ ଏକ ଅନଲାଇନ ଆପ୍ ଯାହାକୁ ସରକାର ଗୁରୁବାର ଲଂଚ କରିଛନ୍ତି । ଏହା ଏକ ବହୁଭାଷୀ କୋଭିଡ ୧୯ ଟ୍ରାକିଂ ଆପ୍ । ଏଥିରେ ଆପଣ ୧୧ଟି ଭାଷା ପାଇପାରିବେ । କୋରୋନା ବିରୋଧୀ ଲଢେଇରେ ଏହା ସରକାରଙ୍କୁ ସାହାଯ୍ୟ କରିବ । ଆପଣ ମଧ୍ୟ ଏଥିରୁ ଅନେକ ଉପକାରୀ ତଥ୍ୟ ପାଇପାରିବେ । ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଏହା ଏକ ଅନଲାଇନ ପଦକ୍ଷେପ ଯାହା ଦ୍ୱାରା ସରକାର ସମସ୍ତ ଲୋକଙ୍କ ନିକଟରେ ପହଂଚିପାରିବେ । ଏହାସହ କୋରୋନାର ଭୟାବହତା, ପ୍ରତିଷେଧକ ବ୍ୟବସ୍ଥା ଏବଂ ମହାମାରୀ ସମ୍ବନ୍ଧରେ ଉପଯୁକ୍ତ ସୂଚନା ଏହି ଆପ୍ ଦ୍ୱାରା ସମସ୍ତେ ପାଇବେ ।

ଏହି ଆପ୍‌ର ମୂଳ ଲକ୍ଷ୍ୟ ହେଲା କୋରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବା । ଆକ୍ରାନ୍ତ ବ୍ୟକ୍ତି କେତେ ମାତ୍ରାରେ କୋଭିଡ ୧୯ ଭୂତାଣୁ ଦ୍ୱାରା ପ୍ରଭାବିତ ତାହା ଏହି ଆପ୍‌ରୁ ଜଣାପଡିବ । ଲୋକର ଲକ୍ଷଣ ସହ ସେ କାହା ସହ ମିଶିଛନ୍ତି ତାହାର ତଥ୍ୟ ମଧ୍ୟ ଏହି ଆପ୍ ସରକାରଙ୍କୁ ଦେବ । ଆପଣଙ୍କ ଶରୀରରେ ଭୂତାଣୁର ପ୍ରଭାବ ମଧ୍ୟ ଆପ୍ ଦ୍ୱାରା ଆପଣ ଜାଣିପାରିବେ । ଏହା ଅତ୍ୟାଧୁନିକ ବ୍ଲୁଟୁଥ ଓ ଜିପିଏସ ଟେକ୍ନୋଲୋଜି ଦ୍ୱାରା ତିଆରି ହୋଇଛି । ଏଥିରେ ଆପଣଙ୍କ ଫୋନର ସମସ୍ତ ପ୍ରାଇଭେସି ରେକର୍ଡ ହୋଇ ରହିବ ।

ତେବେ ଏହି ଆପ୍‌ରେ ଆପଣଙ୍କ ପ୍ରାଇଭେସୀକୁ ପ୍ରାଥମିକତା ଦିଆଯାଇଛି । ଆପ୍ ଦ୍ୱାରା ସଂଗୃହିତ ସମସ୍ତ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବା ପାଇଁ ଷ୍ଟେଟ ଅଫ ଦି ଆର୍ଟ ଟେକ୍ନୋଲୋଜି ବ୍ୟବହାର ହୋଇଛି । ଦେଶର ଟପ ବିଶେଷଜ୍ଞଙ୍କ ଦ୍ୱାରା ଏହି ଆପ୍‌ର ବୈଧତା ଓ ସୁରକ୍ଷା ବାରମ୍ବାର ଯାଞ୍ଚ କରାଯାଇଛି । ଏହା ଆଣ୍ଡ୍ରଏଡ ୟୁଜର୍ସଙ୍କ ଫୋନ ଓ ଡାଟା ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ । ଏହାକୁ ସରକାର ଡିଜିଟାଲ ଇଣ୍ଡିଆ ଅଧୀନରେ ତିଆରି କରିଛନ୍ତି ।