ସ୍ପାଇସ୍‌ ଜେଟ୍‌ ଯାତ୍ରୀଙ୍କର ମୃତ୍ୟୁ, ଭୁବନେଶ୍ୱରରେ କଲା ଜରୁରୀ ଅବତରଣ

ଭୁବନେଶ୍ୱର: ଚେନ୍ନାଇରୁ ମୁମ୍ବାଇ ଯାଉଥିବା ସ୍ପାଇସ୍‌ ଜେଟ୍‌ ବିମାନ ଭୁବନେଶ୍ୱରରେ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି । ସେଥିରେ ଥିବା ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାଁ ହେଲା ଅଶ୍ୱଥାମ୍ମା ଶର୍ମା । ତାଙ୍କର ବୟସ ୪୮ ବର୍ଷ ହେବ ବୋଲି ଜଣାପଡ଼ିଛି । ମୃତ ଦେହକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି । ଏ ନେଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଇଛି ।

ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଚେନ୍ନାଇରୁ ମୁମ୍ବାଇ ଯାଉଥିବା ସ୍ପାଇସ୍‌ ଜେଟ୍‌ରେ ୪୮ ବର୍ଷୀୟ ଅଶ୍ୱଥାମା ଶର୍ମା ଯାତ୍ରା କରୁଥିଲେ । ବିମାନ ଉଡ଼ିବା ପରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହା ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଫଳରେ ବିମାନଟି ଭୁବନେଶ୍ୱର ଏୟାର ପୋର୍ଟରେ ଜରୁରୀ ଅବତରଣ କରିଛି । ଗୁରୁତର ଯାତ୍ରୀଙ୍କୁ ତୁରନ୍ତ ଟର୍ମିନାଲ୍‌ ୧ ନିକଟରେ ଚିକିତ୍ସା କରାଯାଇଥିଲା । ଏହା ପରେ କ୍ୟାପିଟାଲ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ପହଁଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏ ନେଇ ତାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରାଯାଇଥିବା ଜଣାପଡ଼ିଛି ।