ଆତଙ୍କବାଦୀକୁ ରାଷ୍ଟ୍ରନୀତି କରିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କ ବିରୋଧରେ ବିରୋଧୀ ଦଳଗୁଡିକ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ମଙ୍ଗଳବାର ସଂସଦରେ ଏହା ଆଗତ ହୋଇଛି। ଏହି ପ୍ରସ୍ତାବରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଶହେ ସାଂସଦଙ୍କ ସ୍ବାକ୍ଷର ରହିଛି।
ପାକିସ୍ତାନ ସମ୍ବିଧାନ ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଉପରେ ୬୮ ସଦସ୍ୟଙ୍କ ସ୍ବାକ୍ଷର ଆବଶ୍ୟକ ହୋଇଥାଏ। ବାଚସ୍ପତି ଅସଦ କୈସର ଆଗାମୀ ଦୁଇରୁ ସାତ ଦିନ ମଧ୍ୟରେ ଏହି ପ୍ରସ୍ତାବ ଉପରେ ମତଦାନ କରିବେ।
ପାକିସ୍ତାନ ସଂସଦରେ ୩୪୨ ସଦସ୍ୟ ଅଛନ୍ତି। ଏହି ପ୍ରସ୍ତାବ ପାରିତ ହେବା ପାଇଁ ୧୭୨ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ଏହା ପୂର୍ବରୁ ପିପିପି ମୁଖ୍ୟ ବିଲାୱଲ ଭୁଟ୍ଟୋ ଇସ୍ତଫା ଦେବା ପାଇଁ ଇମ୍ରାନ ୨୪ ଘଣ୍ଟା ସମୟ ଦେଇଥିଲେ। ସେ ଇମ୍ରାନଙ୍କୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ର କାଠ କଣ୍ଡେଇ କହିଥିଲେ। ବିଲାୱଲ ଭୁଟ୍ଟୋ ଜରଦାରୀ ଏକ ରାଲିରେ କହିଥିଲେ ଯେ ଇମ୍ରାନ ଖାନ ଦେଶର କ୍ଷମତାଠାରୁ ତିନି ଗୁଣ ଅଧିକ ରୁଣ ଆଣିବାକୁ ଭିକ ମାଗିଛନ୍ତି। ଆର୍ଥିକ କ୍ଷେତ୍ରରେ ସରକାର ବିଫଳ ହୋଇଛନ୍ତି। ଲୋକ ସେମାନଙ୍କ ନୀତିକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି।
ଇମ୍ରାନ ଖାନ ଏବଂ ତାଙ୍କ ସରକାର ୨୪ ଘଣ୍ଟାରେ ଇସ୍ତଫା ଦିଅନ୍ତୁ, ନଚେତ ଗଣତାନ୍ତ୍ରିକ ଉପାୟରେ ତାଙ୍କୁ ପଦରୁ ହଟାଇ ଦିଆଯିବ। ଅନ୍ୟପକ୍ଷରେ ଇମ୍ରାନ ସଂସଦରେ ଏହି ପ୍ରସ୍ତାବ କାଟ ଖାଇବା ନେଇ ଭରସା କରିଛନ୍ତି। ସେ କହିଛନ୍ତି ଯେ ସହଯୋଗୀ ଦଳ ମତ ବଦଳାଇଲେ ମେଣ୍ଟ ସରକାର ଭାଙ୍ଗିଯିବ। ଗଣତାନ୍ତ୍ରିକ ସରକାରରେ ଏହା ଅସମ୍ଭବ ମଧ୍ୟ ନୁହେଁ। କିନ୍ତୁ ଦେଶର ଶକ୍ତିଶାଳୀ ସେନା ତାଙ୍କ ସହ ରହିଛି। ସରକାର ଭାଙ୍ଗିବନି ବୋଲି ସେ ଆଶାବାଦୀ ଅଛନ୍ତି। ପ୍ରସ୍ତାବ ଖାରଜ ହେବାପରେ ବିରୋଧୀ ଏହାର ଫଳ ଭୋଗିବେ। କାରଣ ଲୋକେ ବିରୋଧୀଙ୍କୁ ସମର୍ଥନ କରୁନାହାନ୍ତି।