କୋରୋନା ଆତଙ୍କ: ତାମିଲନାଡୁରେ ପ୍ରଥମ ମୃତ୍ୟୁ

ଚେନ୍ନାଇ: ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବୁଧବାର କୋରୋନା ଆକ୍ରାନ୍ତରେ ତାମିଲନାଡୁର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି । ତାମିଲନାଡୁରେ କୋରୋନା ପ୍ରଭାବରେ ମୃତ୍ୟୁର ଏହା ପ୍ରଥମ ମାମଲା । ଏହାସହ ଦେଶରେ କୋରୋନା ପ୍ରଭାବରେ ମୃତ୍ୟୁ ସଂଖ୍ୟା ୧୧ ଛୁଇଁଛି ।

ତାମିଲନାଡୁର ମଦୁରାଇରେ ରହୁଥିବା ୫୪ ବର୍ଷୀୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେ କୋରୋନାରେ ଆକ୍ରାନ୍ତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଗତ ୨ ଦିନରୁ ମୃତ ବ୍ୟକ୍ତିଙ୍କ ରାଜାଜୀ ହସ୍ପିଟାଲରେ ଚିକିତ୍ସା ଜାରି ରହିଥିଲା । ତାଙ୍କର ମଧୁମେହ ସହ ହାଇପରଟେନ୍‌ସନ ଥିଲା । ଚିକିତ୍ସା ସମୟରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୫ରେ ପହଂଚିଛି। କୋରୋନା ପ୍ରକୋପକୁ ଦୃଷ୍ଟିରେ ରଖି ସମ୍ପୂର୍ଣ୍ଣ ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଲକଡାଉନ ୨୧ ଦିନ ଯାଏଁ ବଳବତର ରହିବ । ଅନ୍ୟପକ୍ଷେ ସାରା ବିଶ୍ୱରେ ୩ ଲକ୍ଷ ୭୨ ହଜାର ଲୋକ କୋରୋନାରେ ଆକ୍ରାନ୍ତ ଥିବା ବେଳେ ଦେଶବ୍ୟାପି ୧୮ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଲାଣି ।