ସୁରତରୁ ଆସି ସଙ୍ଗରୋଧ କେନ୍ଦ୍ରରେ ରହିବାକୁ ମନାକଲେ ଦମ୍ପତି; ଧାରଣାରେ ବସିଲେ ଗ୍ରାମବାସୀ

ବାଲେଶ୍ୱର: ସୁରତରୁ ଫେରି ଦମ୍ପତି ସଙ୍ଗରୋଧରେ ରହିବାକୁ ମନାକରି ଗାଁରେ ବୁଲିବାକୁ ଲାଗିଲେ । ଏହାର ପ୍ରତିବାଦ କରିବାରୁ ପୋଲି କୌଣସି ପଦକ୍ଷେପ ନେଇ ନ ଥିବା କାରଣରୁ ପରିଶେଷରେ ଗ୍ରାମବାସୀ ଏହାକୁ ବିରୋଧ କରି ଧାରଣାରେ ବସିଲେ । ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକରେ ।

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ବଡ଼ ନୂଆଗାଁ ପଂଚାୟତର ପିହାଣଗଡ଼ିଆ ଗାଁର ଏକ ଦମ୍ପତି ଗତକାଲି ସୁରତରୁ ଫେରିଥିଲେ । ସେମାନେ ସଙ୍ଗରୋଧ କେନ୍ଦ୍ରରେ ନ ରହି ସିଧା ଆସିଥିଲେ ଗାଁକୁ । ଆଉ ଗାଁରେ ବୁଲାବୁଲି କରିଥିଲେ । ଏପରିକି ସରପଂଚଙ୍କ କଥାକୁ ଅଗ୍ରାହ୍ୟ କରି ଗ୍ରାମବାସୀଙ୍କ ସହିତ ମିଶିଥିଲେ ।ଏହାକୁ ବିରୋଧ କରି ଗ୍ରାମର ନ୍ୟାୟବ ସରପଂଚ ଛବିରାଣୀ ପରିଡା, ଉମାକାନ୍ତ ପରିଡା, ମନୋରଞ୍ଜନ ପରିଡା, ରମାକାନ୍ତ ପରିଡା, ଗୋବିନ୍ଦ ଚରଣ ସେଠୀ, ଅଜୟ ସେଠୀ, ରମେଶ ପାଢ଼ୀ ଏବଂ ରମାକାନ୍ତ ଦାସ ପ୍ରମୁଖ ଗ୍ରାମବାସୀ ରାସ୍ତା ଉପରେ ବସି ଏହାର ପ୍ରତିବାଦ କରିଛନ୍ତି। ଏ ନେଇ ସରପଂଚଙ୍କୁ ପଚାରିବାରୁ ସେ ଏ ବାବଦରେ ସିମୁଳିଆ ଥାନାକୁ ଖବର ଦେଇଥିବା କହିଥିଲା ବେଳେ ଏ ବିଷୟରେ ସିମୁଳିଆ ଆଇ ଆଇ ସି ପର୍ଶୁରାମ ସାହୁଙ୍କୁ ଯୋଗାଯୋଗ କରିବାରେ ଏ ନେଇ ତାଙ୍କ ପାଖରେ କୌଣସି ଅଭିଯୋଗ ନଥିବା ପ୍ରକାଶ କରିଥିଲେ।