ଭାରସାମ୍ୟ ହରାଇ ୫୦୦ମିଟର ତଳକୁ ଖସିଲା ବସ୍; ୧୩ ମୃତ, ୧୮ ଆହତ

କାଠମାଣ୍ଡୁ: ୪୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଏକ ବସ୍ ଯାଉଥିବାବେଳେ ଭାରସାମ୍ୟ ହରାଇ ୫୦୦ ମିଟର ତଳକୁ ଖସି ଦୁର୍ଘଟଣାର ଶିକାର ହୋଇଛି । ଫଳରେ ଘଟଣାସ୍ଥଳରେ ୧୩ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୮ ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ଉଦ୍ଧାର କରାଯାଇ ପାଖ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏହି ତୀର୍ଥଯାତ୍ରୀ ବସ୍ ଟି ନେପାଳର ସିନ୍ଧୁପଲକୋଚ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ପୋଲିସର କହିବା ଅନୁସାରେ, ଡୋଲଖା ମ୍ୟୁନିସିପାଲଟିର କଲିନଚୌକରୁ ଭକ୍ତପୁର ଯାଉଥିବା ତୀର୍ଥଯାତ୍ରୀ ବସଟି ପାହାଡିଆ ରାସ୍ତା ଦେଇ ଯାଉଥିଲା। କୌଣସି କାରଣରୁ ବସଟି ଭାରସାମ୍ୟ ହରାଇବାରୁ ୫୦୦ ମିଟର ତଳକୁ ଖସି ପଡ଼ିଥିଲା। ୧୩ ମୃତକଙ୍କ ମଧ୍ୟରୁ ୮ ଜଣ ପୁରୁଷ ଥିବା ବେଲେ ୩ ଜଣ ମହିଳା ଏବଂ ଜଣେ ପୁଅ ଓ ଝିଅ ରହିଛନ୍ତି। ତେବେ ଆଗାମୀ ସମୟରେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୋଲିସ ସୂଚନା ଦେଇଛି। କଲିନଚୌକରେ ଥିବା ଭଗବତୀ ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ଗତମାସରେ ମଧ୍ୟ ସମାନ ଦୁର୍ଘଟଣା ଘଟିଥିଲା। ନେପାଳର ଅର୍ଘଖାଞ୍ଚି ଜିଲ୍ଲାର ସନ୍ଧିଖାର୍କରେ ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସି ପଡ଼ିଥିଲା ଯାତ୍ରୀବାହୀ ବସ୍। ୧୮ ଜଣ ଯାତ୍ରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା।