ପ୍ରେମରେ ଧୋକା ଦେଉଥିବା ନେଇ ସନ୍ଦେହ: ପ୍ରେମିକାକୁ ଛୁରୀ ଭୁସିଲା ପ୍ରେମିକ

ଗୁରୁଗ୍ରାମ: ଜଣେ ପ୍ରେମିକା ପ୍ରେମରେ ଧୋକା ଦେଉଛନ୍ତି ବୋଲି ସନ୍ଦେହ କରି ଜଣେ ପ୍ରେମିକ ମାଡ ମାରିବା ସହ ଛୁରୀ ଭୁସିଥିବା ନେଇ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ପରେ ପ୍ରେମିକାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିବାବେଳେ ପ୍ରେମିକଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଘଟଣାଟି ହେଉଛି, ଗୁରୁଗ୍ରାମରେ ଏକ ଭଡା ଘରେ ରହି ଅଟୋ ଚଳାଉଥିଲେ ମଦନ କୁମାର । ମାତ୍ର ତାଙ୍କ ପରିବାର ଲୋକେ ପାନିପତରେ ରହୁଥିଲେ । ପ୍ରେମିକା ଜଣଙ୍କ ଏକ କ୍ଲବରେ ଡ୍ୟାନସର ଭାବେ କାମ କରୁଥିଲେ । ଗୁରୁଗ୍ରାମର ପ୍ରାୟ ଅଳ୍ପ ଦୂରରେ ସୁଖରାଲରେ ରହୁଥିଲେ ପ୍ରେମିକା । ତେବେ ଉଭୟଙ୍କ ଘର ପାଖାପାଖି ଥିବାର ଖୁବ୍ କମ୍ ସମୟରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏବଂ ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହାପରେ ଉଭୟ ଲିଭ୍-ଇନ୍ରେ ରହିବାକୁ ଲାଗିଲେ । କିଛିଦିନ ପରେ ମଦନ ତାଙ୍କ ପ୍ରେମିକାଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ନେଇ ସନ୍ଦେହ କରି ମାଡପିଟ୍ ଆରମ୍ଭ କରି ଦେଇଥିଲେ । ଦିନେ ପ୍ରେମିକାଙ୍କୁ ଏକ ପେଟ୍ରୋଲ ଟାଙ୍କି ପାଖରେ ଅନ୍ୟ ଜଣେ ପୁରୁଷଙ୍କ ସହ କଥାବାର୍ତା ହେଉଥିବାର ଦେଖିଥିଲେ । ଉକ୍ତ ପୁରୁଷଙ୍କ ସହ ତାଙ୍କର ସମ୍ବନ୍ଧ ଥିବା ନେଇ ସନ୍ଦେହ କରି ପ୍ରଥମେ ମାଡ ମାରିଥିଲେ ଏବଂ ଏହାପରେ ରାଗରେ ତାଙ୍କୁ ଛୁରୀ ଭୁସିଦେଇଥିଲେ । ପରେ ଗିରଫ ଡରରେ ଘଟଣାସ୍ଥଳରୁ ମଦନ ଫେରାର ହୋଇଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ ଲୋକେ ପ୍ରେମିକାଙ୍କୁ ନେଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ମଦନକୁ ଖୋଜିବା ଆରମ୍ଭ କରିଦେଇଛି ।