ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ରେ ଛୁଇଁଲା

ନୂଆଦିଲ୍ଲୀ: ବିଶ୍ୱବ୍ୟାପି କୋରୋନା ଭାଇରସର ଭୟ ଲାଗି ରହିଥିବାବେଳେ ବର୍ତମାନ ସୁଦ୍ଧା ଭାରତରେ ରୋଗୀ ସଂଖ୍ୟା ୫୬ରେ ପହଂଚିଛି ।

କୋରୋନାର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ପଦକ୍ଷେପ ଗ୍ରହଣ କରୁଥିଲେ ହେଁ ଏହି ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି କେରଳରେ ୬ ଜଣ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଥିବା ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୂଚନା ଦେଇଛନ୍ତି। ଅର୍ଥାତ କେରଳେ କୋରୋନା ଭୂତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଛୁଇଁଛି। ତେବେ ଏମାନଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି।

ସେହିପରି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ବେଙ୍ଗାଲୁରୁ ଓ ଏହାର ଆଖପାଖ ଅଂଚଳରେ ୩ ଜଣ ଲୋକ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଛି। ଏହି ନୂଆ କୋରୋନା ରୋଗୀଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା ଯୋଗାଇ ଦିଆଯାଉଛି। ଏମାନଙ୍କ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମଧ୍ୟ ନୀରିକ୍ଷଣ କରାଯାଉଛି।

ଅନ୍ୟପକ୍ଷରେ ତାମିଲନାଡୁରେ କରୋନା ସନ୍ଦିଗ୍ଧରେ ୮ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ହେଲେ ପରୀକ୍ଷା ପରେ ଏହା ନେଗେଟିଭ ଆସିଛି।

କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କୋରୋନାରେ ଆକ୍ରାନ୍ତ ହୋଇ ବର୍ତମାନ ୧୨ ଜଣ ଚିକିତ୍ସିତ ହେଉଛନ୍ତି। ଆଜି ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ କୋଟ୍ଟାୟମ ଓ ୨ ଜଣ ପାଥନମଥିଟ୍ଟା ଅଂଚଳର। ଇଟାଲୀରୁ ଫେରିଥିବା ଲୋକଙ୍କୁ ଆଣିବା ପାଇଁ ଯାଇଥିବା ବେଳେ ସମସ୍ତ ୪ ଜଣ ଯାକ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଜଣେ ୯୦ ବର୍ଷୀୟ ବୃଦ୍ଧ ଓ ୮୫ ବର୍ଷୀୟା ବୃଦ୍ଧା ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସ୍ଥିତିକୁ ଦୃଷ୍ଟିରେ ରଖି କେରଳ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୩୧ ଯାଏ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମକୁ ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି। ସମସ୍ତ ସିନେମା ହଲକୁ ମଧ୍ୟ କରିବାକୁ ନିର୍ଦ୍ଦେଶ ମିଳିଛି। ଏହାବାଦ ମାର୍ଚ୍ଚ ୩୧ ଯାଏ ସମସ୍ତ ପ୍ରକାରର ଟ୍ୟୁସନ, କୋଚିଂ କ୍ଲାସ, ପ୍ରବେଶିକା ପରୀକ୍ଷା ପାଇଁ ମିଳୁଥିବା କୋଚିଂ ସେଂଟର ଓ ସମସ୍ତ ପ୍ରକାରର ସ୍ପେଶାଲ କ୍ଲାସ ବନ୍ଦ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।