ଦିଲ୍ଲୀର ଏକ କପଡା ଗୋଦାମରେ ଅଗ୍ନିକାଣ୍ଡ; ୯ମୃତ, ୧୦ ଗୁରୁତର

ନୂଆଦିଲ୍ଲୀ: ଦିଲ୍ଲୀର କିରାଡି ଅଂଚଳର ଏକ କପଡା ଗୋଦାମରେ ଅଗ୍ନିକାଣ୍ଡ ଘଟି ୯ଜଣ ଲୋକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବାବେଳେ ୧୦ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଏକ ଚାରି ମହଲା ବିଶିଷ୍ଟ କୋଠା ଘରର ତଳ ମହଲାରେ ଏହି ଗୋଦାମ ଥିଲା। ଶର୍ଟ ସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏପରିକି ଯେଉଁ ସ୍ଥାନରେ ପ୍ରଥମେ ନିଆଁ ଲାଗିଥିଲା ସେଠାରେ ଏକ ଗ୍ୟାସ୍ ସିଲିଣ୍ଡର ଫାଟି ଯାଇଥିଲା। ଏହି କୋଠାରେ କୌଣସି ପ୍ରକାର ଅଗ୍ନିନିର୍ବାପକ ବ୍ୟବସ୍ଥା ନଥିବା ବେଳେ କେବଳ ସିଡ଼ି ରହିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବା ସହିତ ଆହତ ମାନଙ୍କୁ ଉଦ୍ଧାର କରିଥିଲେ। ଆହତମାନଙ୍କୁ ସଞ୍ଜୟ ଗାନ୍ଧି ମେମୋରିଆଲ୍ ହସ୍‌ପିଟାଲ୍‌ ଓ ଆଖପାଖ ଅନ୍ୟ ହସ୍‌ପିଟାଲ୍‌ରେ ଭର୍ତି କରାଯାଇଛି।

ଗତ ୧୫ ଦିନ ମଧ୍ୟରେ ଏହା ହେଉଛି ଦିଲ୍ଲୀରେ ଦ୍ୱିତୀୟ ବଡ଼ ଅଗ୍ନିକାଣ୍ଡ ଘଟଣା। ଏହା ପୂର୍ବରୁ ଡିସେମ୍ବର ୭ ତାରିଖରେ ଝାନ୍‌ସୀ ରୋଡ୍‌ ସ୍ଥିତ ଅନାଜ୍ ମଣ୍ଡିର ଏକ ଲଗେଜ୍ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିବାରୁ ୪୩ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ଭୋର୍ ପ୍ରାୟ ୫ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା।