କରୋନାରେ ଆଉ ୯ ଜଣଙ୍କ ଗଲା ଜୀବନ

ଭୁବନେଶ୍ୱର: ଆଜି ରାଜ୍ୟରେ ୨୮୧୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୯୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଆଜି କଟକ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଅପରପକ୍ଷରେ ଗଞ୍ଜାମ, ବଲାଙ୍ଗୀର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି।

କଟକର ୨ ଜଣେ ମୃତକ ପୁରୁଷଙ୍କ ବୟସ ୫୦ ବର୍ଷ। ଅପରପକ୍ଷରେ କଟକର ଯେଉଁ ୨ ଜଣ ମହିଳା ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି, ସେମାନଙ୍କର ବୟସ ୫୧ ଓ ୭୦ ବର୍ଷ ବୋଲି ଜଣାଯାଇଛି। ସୁନ୍ଦରଗଡ଼ର ୨ ମୃତକ ପୁରୁଷଙ୍କ ବୟସ ୬୦ ଓ ୫୪ ବର୍ଷ।

ଗଞ୍ଜାମ, ବଲାଙ୍ଗୀର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ଯେଉଁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ସେମାନଙ୍କର ବୟସ ଯଥାକ୍ରମେ ୬୦, ୨୮, ୫୧ ଓ ୫୩ ବର୍ଷ । ଏମାନେ ସମସ୍ତେ ପୁରୁଷ। ଏହି ଆକ୍ରାନ୍ତମାନେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ୫୩୭କୁ ବୃଦ୍ଧିପାଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏବେ ରାଜ୍ୟରେ ମୋଟ୍ ୪୬୯୩୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୫୧ ରହିଛି। ଏଣେ କରୋନା ବ୍ୟତୀତ ଅନ୍ୟ ରୋଗରେ ମୃତ୍ୟୁ ସଂଖ୍ୟା ୫୩ ଥିବା ଜଣାଯାଇଛି।