ରାଜ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ପୁଣି ୯ଜଣଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ରାଜ୍ୟରେ ଆଜି ଯେଉଁ ୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି, ସେଥିମଧ୍ୟରେ ବରଗଡ଼ ଜିଲ୍ଲାରୁ ସର୍ବାଧିକ ୨ଜଣ ଥିବା ବେଳେ କଟକ, ପୁରୀ, ରାୟଗଡ଼ା, ଭଦ୍ରକ, ସମ୍ବଲପୁର, ଗଜପତି ଓ ବଲାଙ୍ଗୀର ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ଜଣାଯାଇଛି। ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି।

ବରଗଡ଼ର ଯେଉଁ ୨ ମୃତକ ଅଛନ୍ତି, ସେମାନଙ୍କ ମଧ୍ୟରେ ଜଣେ ୬୩ ବର୍ଷ ବୟସ୍କ ପୁରୁଷ ଓ ଜଣେ ୫୫ ବର୍ଷ ବୟସ୍କା ମହିଳା ଅଛନ୍ତି। ରାୟଗଡ଼ା ଜିଲ୍ଲାର ଯେଉଁ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ତାଙ୍କର ବୟସ ୫୨ ବର୍ଷ। ସମ୍ବଲପୁରରେ ଜଣେ ୬୦ ବର୍ଷ ବୟସ୍କା ଓ କଟକରେ ଜଣେ ୭୮ ବର୍ଷ ବୟସ୍କା ମହିଳା ଅଛନ୍ତି। ଅପରପକ୍ଷରେ ପୁରୀ, ଭଦ୍ରକ, ଗଜପତି ଓ ବଲାଙ୍ଗୀରରୁ ଯେଉଁ ଜଣେ ଲେଖାଏଁ ପୁରୁଷ ପ୍ରାଣ ହରାଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୭୩, ୫୨, ୩୭ ଓ ୫୫ ବର୍ଷ।