ତେହେରାନ: କୋରୋନା ନେଇ ବିଶ୍ୱବ୍ୟାପି ଚିନ୍ତା ଥିବାବେଳେ ଏହାର ଅଧିକ ପ୍ରଭାବ ଚୀନ ପରେ ଇଟାଲି ଓ ଇରାନରେ ଦେଖିବାକୁ ମିଳିଛି । ତେବେ ଇରାନରେ ୮୫୦ ଭାରତୀୟ ଥିବାବେଳେ ତାଙ୍କୁ ଉଦ୍ଧାର ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଅସନ୍ତୋଷ ପ୍ରକାଶ କରି ଦୂତାବାସ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଖବର ମିଳିଛି ।
ଇରାନ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ଭାରତୀୟମାନେ ଉତର-ପୂର୍ବ ଇରାନର ସହର ମସାଦରେ ଥିବା ତୀର୍ଥକ୍ଷେତ୍ର ଇମାମ ରେଜାକୁ ତୀର୍ଥଯାତ୍ରାରେ ଯାଇଥିଲେ । କିନ୍ତୁ ତୀର୍ଥଯାତ୍ରା ଶେଷ ହୋଇଥିବାବେଳେ ସେମାନେ ଗତ ୧୫ ଦିନ ହେଲା ଭାରତ ଫେରିପାରୁନାହାନ୍ତି । ଉଦ୍ଧାର ପାଇଁ ବାରମ୍ବାର ଅନୁରୋଧ ପରେ ଭାରତ ସରକାର କୌଣସି ପଦକ୍ଷେପ ନେଉନଥିବାରୁ ସେମାନେ ବିକ୍ଷୋଭ କରିବା ଆରମ୍ଭ କରିଦେଇଛନ୍ତି । ଏହି ୮୫୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୫୦ ଜଣ ତେହେରାନରେ ଥିବା ଭାରତୀୟ ଦୂତାବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ପାର୍ସୀ, ହିନ୍ଦୀ ଓ ଇଂରାଜୀରେ ପ୍ଲାକାର୍ଡ ଲେଖି ଭାରତୀୟ ଦୂତାବାସ କର୍ମଚାରୀଙ୍କ ଦାୟିତ୍ୱହୀନତା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ପ୍ରସଙ୍ଗରେ ଭାରତୀୟ ପ୍ରତିପକ୍ଷଙ୍କୁ ଅବଗତ କରାଯାଇଥିବା ଇରାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।