ବିପଦରେ ଗଜରାଜ : ରାଜ୍ୟରେ ଗତ ୧୦ବର୍ଷରେ ଗଲାଣି ୮୪୩ହାତୀଙ୍କ ଜୀବନ

ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉତ୍ତର

ଭୁବନେଶ୍ବର : ରାଜ୍ୟରେ ଦ୍ରୁତ ଭାବେ ହାସ୍ର ପାଉଛି ହାତୀଙ୍କ ସଂଖ୍ୟା । ଗତ ୧୦ବର୍ଷରେ ଗଲାଣି ୮୪୩ହାତୀଙ୍କ ଜୀବନ । ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନ ଉପରେ ଏଭଳି ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ତେବେ ବଡ କଥା ହେଉଛି ହାତୀ ଚଳପ୍ରଚଳ ସୁବିଧା ଓ ରିଜର୍ଭ ଫରେଷ୍ଟ ଆୟତନ ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବା  ମନ୍ତ୍ରୀ  କହିଛନ୍ତି।

୧୦ ବର୍ଷରେ ଯାଇଛି ୮୪୩ ହାତୀଙ୍କ ଜୀବନ। ୨୦୧୦ରୁ ୨୦୨୧ ମାର୍ଚ୍ଚ ୧୦ ବର୍ଷରେ ରାଜ୍ୟରେ ୮୪୩ ହାତୀଙ୍କ ମୃତ୍ୟୁ ହୋଇଛି। ହାରାହାରି ବର୍ଷକୁ ୮୪ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ମାସକୁ ହିସାବ କଲେ ୭ ହାତୀଙ୍କ ଜୀବନ ଯାଉଛି । କେତେବେଳେ ବିଜୁଳି ଆଘାତରେ କେତେବେଳେ ଟ୍ରେନରେ କଟି ଆଉ କେତେବେଳେ ରୋଗଗ୍ରସ୍ତ ହୋଇ ହାତୀଙ୍କ ଜୀବନ ଯାଉଛି। ଆଉ ହାତୀ ମୃତ୍ୟୁର ଅସଲ ତଥ୍ୟ ଆଜି ବିଧାନସଭାରୁ ହିଁ ପ୍ରକାଶ ପାଇଛି।  ଆଜି ବିଧାନସବାରେ ବିଜେପି ବିଧାୟକ ମୋହନ ମାଝିଙ୍କ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଲିଖିତ ଉତ୍ତରରେ ଯାହା ଉଲ୍ଲେଖ ରହିଛି ସେ ଅନୁଯାୟୀ ୨୦୧୦-୧୧ରେ ୮୩ ଟି, ୨୦୧୧- ୧୨ରେ ୬୮ଟି  , ୨୦୧୮-୧୯ରେ ସର୍ବାଧିକ ୯୩ଟି , ୨୦୧୯-୨୦ରେ  ୮୨ଟି ଏବଂ ୨୦୨୦-୨୦୨୧ ମାର୍ଚ୍ଚ ମଧ୍ୟରେ ୭୨ଟି ହାତୀଙ୍କର ମୃତ୍ୟୁ ହୋଇଛି । ତେବେ ହାତୀଙ୍କ ପାଇଁ ରାଜ୍ୟ ସରକାର କି କି ଯୋଜନା ସବୁ ହାତକୁ ନେଇଛନ୍ତି ଏହାର ଲମ୍ବା ତାଲିକା ମଧ୍ୟ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ହାତୀ ମଣିଷ ଲଢ଼େଇର ସମାଧାନ ପାଇଁ  ବନ୍ୟ ପ୍ରାଣୀ ସଂସ୍ଥା ତରଫରୁ ଚାଲୁ ରହୁଥିବା କାମ୍ପା ଯୋଜନାରେ  ୨୦୧୦-୨୦୨୦ ମଧ୍ୟରେ ମୋଟ ୧୦କୋଟି ୭୦ଲକ୍ଷ ୯୬ହଜାର ଟଙ୍କା ଖର୍ଚ୍ଚ କରାଯାଇଛି।  ରାଜ୍ୟରରେ  ୧୪ଟି ହାତୀ କରିଡର ଏବଂ ୩ଟି ହାତୀ ବସତି ଯଥା ସମ୍ବଲପୁର ରିଜର୍ଭ ଫରେଷ୍ଟ, ମହାନଦୀ ଏଲିଫ୍ୟାଣ୍ଟ ରିଜର୍ଭ ଓ ମୟୂରଭଞ୍ଜ ଏଲିଫ୍ୟାଣ୍ଟ  ରିଜର୍ଭ ଚିହ୍ନଟ କରାଯାଇଛି ।  ସେଗୁଡିକର ପୁନରୁଦ୍ଧାର ଚାଲୁ ରହିଥିବା ବା ମନ୍ତ୍ରୀ ବିକ୍ରମ ଆରୁଖ ତଥ୍ୟ ରଖିଛନ୍ତି ।  ତେବେ ଦିନକୁ ଦିନ ହାତୀ ଚଳ ପ୍ରଚଳ ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନର ଅଭାବ ଦୂର କରିବା ନିମନ୍ତେ ମହାନଦୀ ହାତୀ ସଂରକ୍ଷଣ ଅଞ୍ଚଳର ଆୟତ ୧୦୩୮.୩ବର୍ଗ କିଲୋମିଟରରୁ ୨୧୮୧.୫୨ ବର୍ଗ କିଲୋମିଟରକୁ ଏବଂ ସମ୍ବଲପୁର ହାତୀ ସଂରକ୍ଷଣ ଅଞ୍ଚଳ ଅନ୍ତର୍ଗତ ୪୨୬.୯୧ବର୍ଗ କିଲୋମିଟର ଆୟତନରୁ  ୧୭୯୭.୦୪୮ ବର୍ଗ କିଲୋମିଟରକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ମନ୍ତ୍ରୀ ଉତ୍ତର ରଖିଛନ୍ତି । ହାତୀ ମଣିଷ ଲଢ଼େଇ ପାଇଁ ସ୍ବଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ମାନ ରଖାଯାଇଛି ସେପଟେ କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନାର ଫାଇଦା ଏହି ଜଙ୍ଗଲି ହିତାଧିକାରୀ ହାତୀଙ୍କ ପାଖଙ୍କୁ ଯାଇପାରୁନଥିବା ଚର୍ଚ୍ଚା ହେଉଛି।