ଆଜି ରାଜ୍ୟରେ ସୁସ୍ଥ ହେଲେ ୮୦୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରେ ସର୍ବାଧିକ ୮୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୩୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିଭଳି ରାୟଗଡରେ ୬୩, କଟକରେ ୩୫, ମାଲକାନଗିରିରେ ୩୦, ଗଜପତିରେ ୨୨, ବାଲେଶ୍ୱରରେ ୧୯, ଖୋର୍ଦ୍ଧାରେ ୧୯, ବରଗଡରେ ୧୮, ବୌଦ୍ଧରେ ୮ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଝାରସୁଗୁଡା, ଜଗତସିଂହପୁର, କେନ୍ଦ୍ରାପଡା ଓ କେନ୍ଦୁଝରରେ ୭ ଜଣ ଲେଖାଏଁ, ସମ୍ବଲପୁରରେ ୫, ନବରଙ୍ଗପୁରରେ ୪, ସୁନ୍ଦରଗଡରେ ୩, ଅନୁଗୁଳ, ଯାଜପୁର ଓ ପୁରୀରେ ୨ ଜଣ ଲେଖାଏଁ, କୋରାପୁଟ ଓ ନୟାଗଡରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ, ଗତ ୨୪ ଘଣ୍ଟା ମଧ୍ୟରେ ୧୫୯୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୦୬୭ ଜଣ କ୍ୱାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୨୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।