ନନ୍ଦନକାନନକୁ ଆସିଲେ ୮ଟି ଆନାକୋଣ୍ଡା ସାପ

ଭୁବନେଶ୍ଵର:ନନ୍ଦନକାନନକୁ ଆସିଛି ନୂଆ ଅତିଥି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଚନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି ଆନାକୋଣ୍ଡା ସାପ। ଲୋକେ ପୂର୍ବେ ଟିଭିରେ ଏବଂ ସିନେମାରେ ଯେଉଁ ଆନାକୋଣ୍ଡା ଦେଖୁଥିଲେ ଏବେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟକ ଏହି ନୂତନ ସରୀସୃପକୁ ଆଖି ସାମ୍ନାରେ ଦେଖିବାକୁ ପାଇବେ। ମାଡ୍ରାସ କ୍ରୋକୋଡାଇଲ ବ୍ୟାଙ୍କରୁ ମୋଟ୍ ୮ଟି ହଳଦିଆ ଆନାକୋଣ୍ଡା ଅଣାଯାଇଛି। ଏଥିରୁ ୪ଟି ଅଣ୍ଡିରା ଥିବା ବେଳେ ୪ଟି ମାଈ ଆନାକୋଣ୍ଡା ସାପ ରହିଛି। ଆନାକୋଣ୍ଡା ସହିତ ୩ଟି ନାଇଲ କୁମ୍ଭୀର ମଧ୍ୟ ନନ୍ଦନକାନନରେ ପହଞ୍ଚିଛି। 

ଏହା ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆନାକୋଣ୍ଡା ଆଣିବା ଲାଗି ବହୁ ସମୟରୁ ଅପେକ୍ଷା କରାଯାଇଥିଲା ଏବଂ ପୂର୍ବରୁ ୩ ଥର ପ୍ରୟାସ ବିଫଳ ହୋଇଥିଲା। ଶେଷରେ ଆନକୋଣ୍ଡା ମାଡ୍ରାସ କ୍ରୋକୋଡାଇଲ ଜୁରୁ ଆସି ନନ୍ଦନକାନନରେ ପହଞ୍ଚିଛି। ପ୍ରଥମେ ଏହି ଆନାକୋଣ୍ଡାକୁ  କୁମ୍ଭୀର ଆଖଡ଼ାରେ ରଖାଯିବ ଏବଂ ପରେ ଅନୁକୂଳ ସ୍ଥାନରେ ରଖାଯିବ। ଏବେ ଏହି ସବୁ ସରୀସୃପଙ୍କ ସ୍ଵାସ୍ଥ୍ୟବସ୍ଥା ଭଲ ରହିଛି। 

ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ମଚାରୀଙ୍କ ପାଇଁ ଏହା ସବୁଠୁ ବଡ଼ ଦାୟିତ୍ଵ ଯେ ଆନାକୋଣ୍ଡାର ଯତ୍ନ କିପରି ନିଆଯାଇ ସେମାନଙ୍କୁ ସୁସ୍ଥ ରଖାଯିବ। ଏହି ଆନାକୋଣ୍ଡାକୁ ଦେଖିବା ପାଇଁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି।

ନନ୍ଦନକାନନ ପ୍ରାଣୀ ଉଦ୍ୟାନ କହିଛି ଯେ, ଆନାକୋଣ୍ଡାକୁ ଆଣିବା ଲାଗି ସାତ ଦିନ ଲାଗିଥିଲା। ଡାକ୍ତରୀଦଳ ଏମାନଙ୍କ ସ୍ଵାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି। ଆନାକୋଣ୍ଡା ଯେଉଁଭଳି ପରିବେଶରେ ରୁହନ୍ତି ନନ୍ଦନକାନନରେ ସେହି ପରି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ଆନାକୋଣ୍ଡା ଦେଖାଇବା ଆମ ପାଇଁ ଏକ ଅବଶୋଷ ଥିଲା। ଶେଷରେ ଆଜି ନନ୍ଦନକାନନକୁ ଆଠଟି ଆନାକୋଣ୍ଡା ସହିତ ୩ଟି ନାଇଲ କୁମ୍ଭୀର ପହଞ୍ଚିଛି।