୭ମ ଆଲୁମିନିୟମ ଅନ୍ତର୍ଜାତୀୟ ସମ୍ମିଳନୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶର ଦୃଶ୍ୟପଟକୁ ପରିବର୍ତ୍ତନ କରିଛନ୍ତି- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭାରତରେ ପ୍ରାଥମିକ ଆଲୁମିନିୟମ ଓ ଆଲୁମିନା ଉତ୍ପାଦନରେ ଓଡିଶାର ଯଥେଷ୍ଟ ଅବଦାନ ଅଛି । ଆଜି ଶକ୍ତି ସଂରକ୍ଷଣ କରିବା ଦିଗରେ ଭାରତ ବିଶ୍ୱର ତୃତୀୟ ସ୍ଥାନରେ ଅଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୫ ବର୍ଷ ମଧ୍ୟରେ ସାରା ଦେଶର ଦୃଶ୍ୟପଟକୁ ପରିବର୍ତ୍ତନ କରିଛନ୍ତି । ମୋଦିଙ୍କ ଶାସନକାଳରେ ଭାରତର ଅର୍ଥନୈତିକ ବ୍ୟବସ୍ଥାରେ ବୃଦ୍ଧି ପରିଲିକ୍ଷିତ ହୋଇଛି । ପ୍ରଧାନମନ୍ତ୍ରୀ ପୂର୍ବୋଦୟର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଭୁବନେଶ୍ୱର ଠାରେ ଭାରତୀୟ ଆଲୁମିନିୟମ ସଂଘ ପକ୍ଷରୁ ଆୟୋଜିତ ୭ମ ଆଲୁମିନିୟମ ଅନ୍ତର୍ଜାତୀୟ ସମ୍ମିଳନୀ(ଇନକାଲ୍) ୨୦୧୯ର ଉଦଯାପନୀ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି ।  ଆଜିର ଏହି ସମ୍ମିଳନୀରେ ବହୁ ଶିଳ୍ପପତି, ୨୩ଟି ଦେଶର ପ୍ରତିନିଧି  ଯୋଗ ଦେଇଥିଲେ । ନାଲକୋଠୁ କଞ୍ଚାମାଲ ନେଇ ଆନୁଷଙ୍ଗିକ ଶିଳ୍ପ ପ୍ରତିଷ୍ଠା କରିବା ବଡ ଉଦ୍ୟମ ଭାରତ ସରକାରଙ୍କ ମାଇନିଂ ବିଭାଗ ନାଲକୋ ନେତୃତ୍ୱରେ କରିଛି । ଏହା ଦୀର୍ଘ ମିଆଦି ପ୍ରଭାବ ଓଡିଶାରେ ପଡିବ । ଓଡିଶାର ରାଜସ୍ୱ, ରୋଜଗାର, ରପ୍ତାନୀକୁ ଏହା ଦ୍ୱାରା ବଢାଇବାରେ ସୁଯୋଗ ମିଳିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାରଙ୍କ ଉଦ୍ୟୋଗ ନାଲକୋ ନେତୃତ୍ୱରେ ଏଠାକାର ସ୍ଥାନୀୟ ସରକାରଙ୍କ ସହଯୋଗରେ ଅନୁଗୁଳର ନାଲକୋ ପାଖରେ ଗୋଟେ ଆଲୁମିନିୟମ ପାର୍କର କଳ୍ପନା ହୋଇଛି । ପ୍ରାରମ୍ଭିକ ପର୍ଯ୍ୟାୟରୁ ଜଣାପଡିଛି ଯେ ଆନୁଷଙ୍ଗିକ ଶିଳ୍ପ ପାଇଁ ସବୁ ପ୍ଲଟ ଗୁଡିକ ବୁକ ହୋଇସାରିଲାଣି । ଭୁବନେଶ୍ୱର ଏୟାରପୋର୍ଟରୁ ଜାତୀୟ ରାଜପଥ ବା ପୁରୁଣା ଜଗନ୍ନାଥ ସଡକ ପଥ ଦେଇ ସିଧା ସିଧା ଆଲୁମିନିୟମ ପାର୍କ ପର୍ଯ୍ୟନ୍ତ ବ୍ୟବସ୍ଥା କରାଯାଉଛି । ଓଡିଶାରେ ଆଲୁମିନିୟମ ପାର୍କ ଶିଳ୍ପାୟନ ପାଇଁ ଗୋଟେ ବହୁତ ବଡ ପଦକ୍ଷେପ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଓଡିଶାରେ ପ୍ରାକୃତିକ ସମ୍ପଦ ଭରି ରହିଛି । ଓଡିଶାରେ ଦକ୍ଷ ଯୁବକ ଯୁବତୀ ମାନେ ରହିଛନ୍ତି । କାର୍ଯ୍ୟପାଇଁ ସେମାନେ ବାହାର ରାଜ୍ୟକୁ ଯାଉଛନ୍ତି । ଯଦି ରାଜ୍ୟରେ ସେମାନଙ୍କୁ କର୍ମସଂସ୍ଥାନର ସୁଯୋଗ ମିଳିପାରନ୍ତା ତାହାଲେ ରାଜ୍ୟର ଆର୍ଥିକ ବିକାଶ ହୋଇପାରନ୍ତା । ଏହି ଯୁବ ସମ୍ବଳର ସହାୟତାରେ ଅନ୍ୟ ରାଜ୍ୟ ଲାଭବାନ୍ ହେଉଥିବା ବେଳେ ଓଡିଶା ଏହାର ଲାଭ ଉଠାଇ ପାରୁନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଦେଶର ୫୦ ପ୍ରତିଶତ ମୂଲ୍ୟବାନ ବକ୍ସସାଇଟ୍ ଓଡିଶାରେ ଅଛି । ୨୫ ପ୍ରତିଶତ କୋଇଲା ଓଡିଶାରେ ଅଛି । ଏବେ ଓଡିଶା ରାଜ୍ୟ ୧୦୦ ମିଲିୟନ ମେଟ୍ରିକ ଟନ୍‌ରୁ ଉର୍ଦ୍ଧ୍ୱ କୋଇଲା ଉତ୍ତୋଳନ କରୁଛି । ଏଠାରେ ପ୍ରାକୃତିକ ଖଣିଜ ସମ୍ପଦ ଭରପୂର ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପୂର୍ବରୁ ବିନା ମୂଲ୍ୟରେ ଶିଳ୍ପପତିମାନଙ୍କୁ ଖଣି ଦିଆଯାଉଥିଲା । ନରେନ୍ଦ୍ର ମୋଦି ସରକାରକୁ ଆସିବା ଏବଂ ନରେନ୍ଦ୍ର ସିଂହ ତୋମାର ଖଣି ମନ୍ତ୍ରୀ ହେବା ପରେ ନୂଆ ଏମଏମଆରଡି ଆକ୍ଟକୁ ସଂଶୋଧନ କରି ଖଣିର ମାଲିକାନା ଉକ୍ତ ରାଜ୍ୟକୁ ଦିଆଯାଉଥିଲା । ଖଣି ନିଲାମର ସବୁ ପଇସା ଦିଲ୍ଲୀ ନେବ ନାହିଁ ଭୁବନେଶ୍ୱରରେ ରହି ରାଜ୍ୟର ବିକାଶରେ ଖର୍ଚ୍ଚ କରାଯିବାର ବ୍ୟବସ୍ଥା ହେଲା ।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ପ୍ରଥମ ଥର ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍ଏଫ୍) ଗଠନ କରାଗଲା । ଜିଲ୍ଲାର ଆଦିବାସୀ, ପଛୁଆ ଅଂଚଳର ଲୋକଙ୍କ ପାଇଁ ବ୍ୟବସ୍ଥା ଖର୍ଚ ହେବାର ବ୍ୟବସ୍ଥା ଅଛି । ଓଡିଶାରେ ୫ ହଜାରରୁ ଅଧିକ କୋଟି ଟଙ୍କା  ଆଦାୟ ବ୍ୟବସ୍ଥା ହୋଇଛି । ମାତ୍ର ଏଠାକାର ସରକାରଙ୍କ ଆଳସ୍ୟ ଓ ଅପାରଗତା କାରଣରୁ ଏହି ଅର୍ଥ ଖର୍ଚ୍ଚ ହୋଇପାରୁନି । କୋଇଲା ଉତ୍ପାଦନର ସମସ୍ୟା ଉପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣର ସହଯୋଗ ହେଲେ କୋଇଲା ଉତ୍ପାଦନରେ ସୁବିଧା ହେବ । କୋଇଲା ଉତ୍ପାଦନର ଅଭାବ କାରଣରୁ ବେଳେବେଳେ ନାଲକୋ ମଧ୍ୟ ଚିନ୍ତାରେ ପଡୁଛି । କୋଇଲା ଉତ୍ପାଦନ କମ୍ ହେଲେ କେବଳ ରାଜ୍ୟର ରାଜସ୍ୱ କମୁନାହିଁ, ଭାରତ ସରକାରଙ୍କ ରାଜସ୍ୱ କମିବା ସହ ବିଦ୍ୟୁତ ଉତ୍ପାଦନ ଏବଂ କଳକାରଖାନା ଚାଲିବାରେ ମଧ୍ୟ ପ୍ରଭାବିତ ହେଉଥିବା ସେ କହିଛନ୍ତି ।

ନାଲକୋ ମାଇନିଂ ଏକ୍ସପାନ୍‌ସନର ସବୁ ପ୍ରକାର ଆନୁସାଙ୍ଗିକ ଅନୁମତି ନେଲା ପରେ ବି କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାରଙ୍କ ସହଯୋଗକୁ ଅପେକ୍ଷା କରିଛି । ଖୁବ ଶୀଘ୍ର ସହଯୋଗ କଲେ ନାଲକୋର ନୂଆ ମାଇନିଂର  ପ୍ଲାଣ୍ଟ ନିର୍ମାଣ ହୋଇ ଅଧିକ ଆଲୁମିନିୟମ ଉତ୍ପାଦନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଆଲୁମିନିୟମ ଶିଳ୍ପ ମଧ୍ୟରେ ଇନକାଲ୍ ହେଉଛି ସବୁଠୁ ପ୍ରଂଶସନୀୟ ଉତ୍ସବ । ପ୍ରଥମ ଥର ପାଇଁ ପୂର୍ବ ଭାରତ ତଥା ଓଡିଶାରେ ଇନକାଲ୍ ଉତ୍ସବ ଆୟୋଜନ କରାଯାଉଛି । ଓଡିଆ ଭାବେ ସେ ଏହି ସମ୍ମିଳନୀରେ ଉପସ୍ଥିତ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସହ ଉପସ୍ଥିତ ଅଧିକାରୀ ଓ ଅନ୍ୟ ସଦସ୍ୟଙ୍କୁ ଐତିହାସିକ ରାଜ୍ୟକୁ ଆସିଥିବାରୁ ସ୍ୱାଗତ ଜଣାଇଥିଲେ ।