ଚୀନ କାରଖାନାରେ ବିସ୍ଫୋରଣ: ୭ ମୃତ

ନାନଜିଙ୍ଗ: ଚୀନର ଜୀୟାଙ୍ଗସୁ ଅଞ୍ଚଳରେ ରବିବାର ସକାଳେ ଏକ କାରଖାନାରେ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁଯାୟୀ, କାରଖାନାରେ ବ୍ୟବହାର କରାଯାଉଥିବା ଗ୍ୟାସ ଲିକ ହେବା ଫଳରେ ଏହି ବିସ୍ଫୋରଣ ଘଟିଥିଲା।

ରବିବାର ସକାଳ ୭ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। କାରଖାନାରୁ ବାହାରୁଥିବା ବଳକା ସାମଗ୍ରୀ ରଖାଯାଇଥିବା ଷ୍ଟୋରରେ ବିସ୍ଫୋରଣ ଘଟିବା ଫଳରେ ଆହତ ୫ଜଣକୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ମାର୍ଚ୍ଚ ୨୧ରେ ଜୀୟାଙ୍ଗସୁ ଅଞ୍ଚଳରେ ଥିବା ଏକ ରାସାୟନିକ କାରଖାନାରେ ବିସ୍ଫୋରଣ ଘଟି ୭୮ଜଣଙ୍କ ମୃତ୍ୟୁ ହୋଇଥିଲା।