ସୁକମାରେ ନକ୍ସଲ-ପୋଲିସ ମୁହାଁମୁହିଁ: ୭ ଯବାନ ଶହୀଦ, ୧୭ ନିଖୋଜ

ରାୟପୁର: ଛତିଶଗଡରେ ଶନିବାର ଦିନ ସୁକମା ଜିଲ୍ଲାରେ ବଡ ଧରଣର ନକ୍ସଲ ଆକ୍ରମଣ । ନକ୍ସଲମାନେ ଯବାନଙ୍କ ପଛ ପଟୁ ଆକ୍ରମଣ କରିଛନ୍ତି । ଏଥିରେ ୭ଜଣ ଯବାନ ଶହୀଦ ହୋଇଥିବାବେଳେ ୧୪ଜଣ ଯବାନ ଆହାତ ହୋଇଛନ୍ତି ଓ ୧୭ଜଣ ନିଖୋଜ ଥିବା ସୂଚନା ମିଳିଛି ।

୧୪ ଗୁରୁତର ହୋଇଥିବା ଯବାନଙ୍କୁ ଏୟାରଲିଫ୍ଟ କରାଯାଇ ରାୟପୁର ଡାକ୍ତରଖାନାରେ ଭର୍ତି କରାଯାଇଛି । ସୂଚନାମୁତାବକ ଶନିବାର ଦ୍ୱିପ୍ରହରର ୧୨.୪୦ମନିଟ୍‌ରେ ପୋଲିସ-ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ଡିଆରଜିର ଜଣେ ଯବାନ ଏହାର ସୂଚନା ଦେଇଛନ୍ତି ।

ଚିନ୍ତାଗୁଫାର ମିନପାର ଜଙ୍ଗଲରେ ନକ୍ସଲ କମାଣ୍ଡର ହିଡମା କ୍ୟାମ୍ପ ଚଳାଉଥିବାର ସୂଚନା ପାଇ ଛତିଶଗଡ ପୋଲିସର ୨୫୦ରୁ ୩୦୦ ୟବାନ ସେହି ଅଂଚଳକୁ ଅପରେସନ୍ ପାଇଁ ବାହାରି ପଡିଥିଲେ। ତାଙ୍କ ସହ ଡିଆରଜି ଓ ଏସଟିଏଫ୍‌ର ଯବାନ ସାମିଲ ମଧ୍ୟ ଥିଲେ । ତେବେ ଅପରେସନ ସାରି ଫେରୁଥିବା ସମୟରେ ୧୨.୪୦ମନିଟ୍‌ରେ ମିନପା ଓ ବୁର୍କାପାଲ ମଧ୍ୟରେ ଯବାନଙ୍କ ଉପରେ ଲୁଚି ବସିଥିବା ନକ୍ସଲମାନେ ଗୁଳି ଚାଳନା କରିଥିଲେ । ସ୍ଥିତି ସମ୍ଭାଳିବା ପୂର୍ବରୁ ୭ଜଣ ଯବାନ ସେଠାରେ ଶହୀଦ ହୋଇ ଯାଇଥିଲେ ଓ ୧୪ଜଣ ଆହତ ।

ଖବରମୁତାବକ, ନକ୍ସଲମାନେ ବୁଲେଟ ପ୍ରୁଫ ଜ୍ୟାକେଟ ପିନ୍ଧିଥିଲେ ଓ ହେଲମେଟ ମଧ୍ୟ ଲଗାଇଥିଲେ । ଏହି ଏନକାଉଂଟରରେ ଯବାନଙ୍କୁ ରେସ୍କ୍ୟୁ କରିବା ପାଇଁ ଆସିଥିବା ସିଆରପିଏଫ ଟିମ ଓ କୋବ୍ରା ବଟାଲିୟନ ଟିମଙ୍କ ଉପରେ ବି ନକ୍ସଲ ଆକ୍ରମଣ କରିଥିଲେ । ରାତି ୯ଟା ଯାଏଁ ନକ୍ସଲ-ପୋଲିସଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ଅନ୍ୟପଟେ ଏଯାଏଁ ସମସ୍ତ ଯବାନଙ୍କୁ ରେସ୍କ୍ୟୁ କରାଯାଇ ନାଥିବା ବେଳେ ୧୭ଜଣ ଯବାନ ନିଖୋଜ ଥିବା ସୂଚନା ମିଳିଛି ।