ଲକ୍ ଡାଉନ୍ କଟକଣା ଭାଙ୍ଗିଲେ ୧୧ଜଣ ଚାଳକ; ଜରିମାନା ଦେଲେ ୬୭ ହଜାର ଟଙ୍କା

ଭଦ୍ରକ: ଲକ୍ ଡାଉନ୍ ହେବା ସତ୍ୱେ ନିୟମ ନ ମାନିବାରୁ ୧୧ଜଣ ମୋଟରସାଇକେଲ ଚାଳକଙ୍କ ଉପରେ ୬୭ ହଜାର ଟଙ୍କାର ଜରିମାନା କାଟିଛନ୍ତି ଭଦ୍ରକ ଆରଟିଓ । କୌଣସି ଜରୁରୀ କାମ ନଥିବାବେଳେ ଏହି ବାଇକ ଚାଳକମାନେ ରାସ୍ତାରେ ଯାଉଥିବାରୁ ଏହି ଫାଇନ କଟାଯାଇଛି ବୋଲି ଜଣାପଡିଛି | ଏହାପୂର୍ବରୁ ଆଜି ଭଦ୍ରକ ସାହାପୁର ଛକ ସିମେଂଟ ଦୋକାନରେ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ପୋଲିସ ଗିରଫ କରିଥିଲା ।

କରୋନା କଟକଣା ପରେ ବି ଦୋକାନ ଖୋଲିଥିବାରୁ ସିମେଂଟ ଦୋକାନୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | କରୋନାକୁ ନେଇ ଦେଶବ୍ୟାପୀ ସତର୍କତା ଚାଲିଥିବା ବେଳେ ଦେଶର ଅର୍ଦ୍ଧାଧିକ ରାଜ୍ୟ ଏବଂ ସହର ଲକଡାଉନ ଘୋଷିତ ହୋଇଛି ।

ଓଡିଶା ସରକାର ମଧ୍ୟ ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଏହି କଟକଣା ଲାଗୁ କରିଛନ୍ତି । ତେବେ ତାଲାବନ୍ଦ ସମୟରେ ରାସନ, ଔଷଧ ଓ ପରିବା ଦୋକାନଗୁଡିକୁ ବାଦ୍ ଦିଆଯାଇଥିବା ବେଳେ ଅତି ଜରୁରୀ ନଥିଲେ କେହି ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।