ରାଜଧାନୀରେ ପୁଣି ୬୪ କରୋନା ସଂକ୍ରମିତ, ୧୩ ସୁସ୍ଥ

ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଇଛି କରୋନା । ଲାଗୁନି ବ୍ରେକ୍‌, ଦିନକୁ ଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଅଧିକ ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଂଟାଇନ୍ ସେଂଟରର ହୋଇଥିବା ବେଳେ ୨୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି । ସେହିପରି ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍ କରି ସୂଚନା ଦେଇଛି ।

ସମ୍ପୃକ୍ତ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଭୀମଟାଙ୍ଗି ଫେଜ୍‌-୨ରୁ ଜଣେ, ଲକ୍ଷ୍ମୀସାଗର ଉପର ସାହିରୁ ୨ ଜଣ, ସାହିଲା ସାହିରୁ ୭ ଜଣ, ଚକେଇସିଆଣିରୁ ଜଣେ, ଭୋଇ ନଗରରୁ ୨ ଜଣ, ହଟ୍‌ସ୍ପଟ ଜିଲ୍ଲାରୁ ଆସିଥିବା ଦୁଇ ଜଣ ବ୍ୟକ୍ତି, ସତ୍ୟନଗରରୁ ୨ ଜଣ, କଳିଙ୍ଗ ନଗରରୁ ଜଣେ, ପୋଖରୀପୁଟରୁ ୨ ଜଣ, ଡୁମୁଡୁମା ରଘୁନାଥ ନଗରରୁ ୪ ଜଣ, ମଂଚେଶ୍ୱର ଧିରିକୁଟି ବସ୍ତିରୁ ୨ ଜଣ, ଆଚାର୍ଯ୍ୟ ବିହାର ସାଇନ୍ସ ପାର୍କ ନିକଟରୁ ଜଣେ ଓ ନିଳାଦ୍ରୀ ବିହାର ହରେକୃଷ୍ଣ ନଗରରୁ ଜଣେ ଯୁବତୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୭୦୪ରେ ପହଂଚିଛି । ସେହିପରି ୩୨୭ ଜଣ ସୁସ୍ଥ ହୋଇଥିବା ବେଳେ ୩୬୮ଟି ଆକ୍ଟିଭ କେସ୍ ରହିଛି । ଏଯାଏଁ ୮ ଜଣଙ୍କ ମୃତ୍ୟୁ ହୋଇଛି ।