ସିଏଏକୁ ନେଇ ସର୍ଭେ ରିପୋର୍ଟ: ୬୨% ଲୋକଙ୍କ ସମର୍ଥନ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଚାରିଆଡେ ଆନ୍ଦୋଳନ ଲାଗି ରହିଛି । ତେବେ ଗୋଟିଏ ପଟେ ଆନ୍ଦୋଳନ ଚାଲିଥିବାବେଳେ ଅନ୍ୟପଟେ ଏହାକୁ ନେଇ ହୋଇଥିବା ସର୍ଭେ ପ୍ରକାଶ ପାଇଛି । ସର୍ଭେ ରିପୋର୍ଟରୁ ଜଣାପଡିଛି ଯେ, ଏହି ଆଇନକୁ ୬୨% ଲୋକ ସମର୍ଥନ କରୁଥିବାବେଳେ ୬୮% ଲୋକ ଏହାକୁ ବିରୋଧ କରୁଛନ୍ତି ।

ସାରା ଦେଶରେ ୧୭ରୁ ୧୯ ଡିସେମ୍ୱର ମଧ୍ୟରେ ତିନି ହଜାର ଲୋକଙ୍କୁ ନେଇ ଏହି ସର୍ଭେ ହୋଇଥିଲା। ଯେଉଁଥିରୁ ଏହି ମତ ପ୍ରକାଶ ପାଇଛି। ଏହି ତିନି ହଜାର ଲୋକଙ୍କ ମଧ୍ୟରୁ ୫୦୦ ଲୋକ ଆସାମରୁ ଥିଲେ ଏବଂ ମୁସଲିମଙ୍କୁ ମଧ୍ୟ ଏହି ସର୍ଭେରେ ଗୁରୁତ୍ୱ ଦିଆଯାଇଛି।

୬୨.୧ ପ୍ରତିଶତ ଲୋକ ସିଏଏକୁ ସମର୍ଥନ କରୁଥିବା ବେଳେ ୩୬.୮ ପ୍ରତିଶତ ଲୋକ ସିଏଏକୁ ବିରୋଧ କରୁଛନ୍ତି। ରିପୋର୍ଟରେ ପୂର୍ବରେ ୫୭.୩, ପଶ୍ଚିମରେ ୬୪.୨, ଉତରରେ ୬୭.୭ ଏବଂ ଏବଂ ଦକ୍ଷିଣରେ ୫୮.୫ ପ୍ରତିଶତ ସମର୍ଥନ କରିଛନ୍ତି। ସେହିପରି ପୂର୍ବରେ ୪୨.୭ ପ୍ରତିଶତ, ପଶ୍ଚିମରେ ୩୫.୪, ଉତ୍ତରରେ ୩୧.୨ ଏବଂ ଦକ୍ଷିଣରେ ୩୮.୮ ପ୍ରତିଶତ ଲୋକ ଏହି ଆଇନକୁ ବିରୋଧ କରିଛନ୍ତି।

ତିନି ଦେଶର ଅଳ୍ପ ସଂଖ୍ୟକ ଭାରତରେ ରହିବା ଦେଶ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ବୋଲି ସର୍ଭେ ରିପୋର୍ଟରେ କହିଛନ୍ତି ପୂର୍ବ, ପଶ୍ଚିମ ଏବଂ ଉତର ଭାରତର ଲୋକମାନେ। ତେବେ ଦକ୍ଷିଣ ଭାରତର ଲୋକମାନେ ଏହାର ଓଲଟା ମତ ରଖିଛନ୍ତି। ଏହି ତିନି ଦେଶର ଅଳ୍ପସଂଖ୍ୟକ ଭାରତରେ ରହିଲେ ଦେଶ ପାଇଁ କୌଣସି ବିପଦ ନାହିଁ।

ସିଏଏକୁ ନେଇ ଆସାମରେ ପ୍ରଥମେ ହିଂସା ପ୍ରଦର୍ଶନ ହୋଇଥିଲା। ଆସାମର ୭୩.୪ ପ୍ରତିଶତ ଲୋକ କହିଛନ୍ତି, ଯଦି ବିଦେଶୀ ଆସି ଭାରତରେ ରହିବେ ତା’ହେଲେ ସମାଜ ଏବଂ ସୁରକ୍ଷା ଦୃଷ୍ଟିକୋଣରୁ ବିପଦ ସାବ୍ୟସ୍ତ ହୋଇପାରେ। ତେବେ ୨୧.୮ ପ୍ରତିଶତ ଲୋକ ଏହାର ଓଲଟା ମତ ରଖିଛନ୍ତି।

ସିଏଏକୁ ୬୫.୩ ପ୍ରତିଶତ ହିନ୍ଦୁ ମାନେ ସମର୍ଥନ କରିଥିବା ବେଳେ ମୁସଲମାନେ ୬୭.୫ ପ୍ରତିଶତ ସମର୍ଥନ କରିଛନ୍ତି। ସେହିପରି ସିଏଏକୁ ନେଇ ବିରୋଧୀ ସରକାରକୁ କାଠଗଡ଼ାରେ ଛିଡ଼ା କରିଛି। ଧର୍ମାନ୍ତକୀରଣ ରାଜନୀତି ଶାସକ ଦଳ କରୁଛି ବୋଲି ବିରୋଧୀ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ହୋଇଥିବା ସର୍ଭେ ରିପୋର୍ଟରେ ୫୮.୬ ପ୍ରତିଶତ ଲୋକ ସରକାରଙ୍କୁ ସମର୍ଥନ କରିଥିବା ବେଳେ ୩୧.୭ ପ୍ରତିଶତ ଲୋକ ବିରୋଧୀଙ୍କୁ ସମର୍ଥନ କରିଛନ୍ତି।

ସୂଚନାଯୋଗ୍ୟ, ଏହି ଆଇନ୍ ୩୧ ଡିସେମ୍ୱର ୨୦୧୪ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଆସିଥିବା ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଇସାଈ ଏବଂ ପାର୍ସୀ ଶରଣାର୍ଥୀଙ୍କୁ ନାଗରିକତା ପ୍ରଦାନ କରିବ। ଏହା ବ୍ୟତୀତ ଏହି ତିନି ଦେଶରୁ ଭାରତ ଆସିଥିବା ମୁସଲିମ୍ କିମ୍ୱା ଅନ୍ୟ ବିଦେଶୀଙ୍କ ପାଇଁ ଏହି ଆଇନ୍ ନୁହେଁ। ଏହି ଆଇନରେ କୌଣସି ଭାରତୀୟଙ୍କ ନାଗରିକତା ହଟିବନି।