ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୬୩% ମତଦାନ

ରାଞ୍ଚି : କାଁ ଭାଁ ହିଂସାକାଣ୍ଡ ମଧ୍ୟରେ ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ମିଳିଥିବା ସୂଚନା ମୁତାବକ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୨.୮ ପ୍ରତିଶତ ମତଦାନ ହୋଇଛି । ଆଜି ଭୋଟଗ୍ରହଣ ହୋଇଥିବା ୧୩ଟି ନିର୍ବାଚନ ମଣ୍ଡଳୀ ହେଲେ ଛତ୍ରା, ଲୋହାରଡାଗା, ଗୁମଲା, ବିଷ୍ଣପୁର,ମାନିକା, ଲାଟେହାର, ପାନକି,ଡାଲଟନଗଞ୍ଜ, ବିଶ୍ରାମପୁର,ଛତରପୁର, ହୁସେନାବାଦ, ଭବନ୍ତପୁର ଓ ଗରଓ୍ଵା । ଏସବୁ ନିର୍ବାଚନମଣ୍ଡଳୀରେ ଅପରାହ୍ଣ ୩ଟାରେ ହିଁ ଭୋଟଗ୍ରହଣ ଶେଷ ହୋଇଥିଲା । ମୋଟ ୩୭ ଲକ୍ଷ ୮୩ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରାୟ ୧୮ ଲକ୍ଷ ମହିଳା ଭୋଟର ରହିଛନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗର ତଥ୍ୟରୁ ଜଣାପଡିଛି ।

ନିର୍ବାଚନ ବେଳେ କେତୌଟି ସ୍ଥାନରେ ହିଂସାକାଣ୍ଡ ହୋଇଥିଲେ ମଧ୍ୟ ନିର୍ବାଚନ ମୋଟାମୋଟିଭାବେ ଶାନ୍ତିପୂର୍ଣ୍ଣ ଥିଲା ବୋଲି ରାଜ୍ୟ ଅତିରିକ୍ତ ଡିଜିପି ମୁରାରୀ ଲାଲ ମୀନା କହିଛନ୍ତି । ଆଜି ନିର୍ବାଚନ ହେଉଥିବା ଗୁମଲା ଜିଲ୍ଲାରେ ନକ୍ସଲମାନେ ଏକ କଲଭଟ ତଳେ ବିସ୍ଫୋରକ ରଖି ତାହାକୁ ଉଡାଇଦେଇଥିଲେ । ଝାଡ଼ଖଣ୍ଡରେ ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ।