ବିବାହ ଭୋଜି ଖାଇ ୬୦ ଅସୁସ୍ଥ

ଦୁମକା: ଝାଡ଼ଖଣ୍ଡର ଦୁମକାରେ ଏକ ବିବାହ ଭୋଜିରେ ବିଷାକ୍ତ ଖାଦ୍ୟ ଖାଇ ୬୦ ଜଣ ଲୋକ ଏକକାଳୀନ ଅସୁସ୍ଥ ହୋଇଥିବାର ଖବର ମିଳିଛି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସାଲାଗି ପଠାଯାଇଛି । ସେହି ବିବାହ ଭୋଜିରେ ପ୍ରସ୍ତୁତ ଖାଦ୍ୟରେ ବିଷାକ୍ତ ଥିବା କେହି ଜାଣି ପାରି ନଥିଲେ । ଖାଦ୍ୟରେ ଏକ ଝିଟିପିଟ ପଡ଼ିଯାଇଥିବାରୁ ଏହା ବିଷାକ୍ତ ହୋଇ ଯାଇଥିଲା ବୋଲି ପରେ ଜଣାପଡ଼ିଥିଲା।

ଏହି ଘଟଣା ସଂପର୍କରେ ଦୁମକା ଏସପି ୱାଇ ଏସ ରମେଶ କହିଛନ୍ତିଯେ ଚନ୍ଦନ ପାହାଡି ଗାଁର ଲୋକେ ବିବାହ ଭୋଜୀ ଖାଇଥିଲେ । ଅସୁସ୍ଥ ହେବା ପରେ ସେମାନଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଅପ୍ରୀତିକର ବାତାବରଣ ଖେଳି ଯାଇଛି । ପ୍ରାଥମିକ ଯାଞ୍ଚ ପରେ ଡାକ୍ତର ଅସୁସ୍ଥମାନଙ୍କୁ ଔଷଧ ଦେଇଛନ୍ତି । କୁହାଯାଉଛି ଯେ, ଭୋଜିର ରୋଷେଇ ବେଳେ ଏକ ଝିଟିପିଟି ପଡ଼ିଯାଇଥିଲା । ଫଳରେ ଭୋଜି ଖାଇଥିବା ଲୋକେ ଅସୁସ୍ଥ ହୋଇଯାଇଥିଲେ । ଘଟଣା ବାବଦରେ ଅବଗତ ହେବା ପରେ ପ୍ରଶାସନ ପକ୍ଷରୁ ଅସୁସ୍ଥ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଜାରି ଥିବା ବେଳେ ଏବେ ସ୍ଥିତି ନିୟନ୍ତ୍ରଣରେ ଥିବାର ସୂଚନା ମିଳିଛି ।

ଦୁମକା ସଦର ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡ. ବିନୋଦ କୁମାର ସିହ୍ନା କିନ୍ତୁ ଏକଥାକୁ ଅସ୍ବୀକାର କରିଛନ୍ତି । ସେ କହିଛନ୍ତି ଯେ ଝିଟିପିଟି ଏତେ ଭୟଙ୍କର ବିଷାକ୍ତ ହୋଇ ନଥାଏ ଯେ ତାହା ଖାଦ୍ୟରେ ପଡ଼ିଲେ ଖାଇବା ଲୋକର କ୍ଷତି କରିବ। ଏହା ଏକ ମନୋବୈଜ୍ଞାନିକ ସମସ୍ୟା ବୋଲି ସେ ଜୋର ଦେଇ କହିଛନ୍ତି ।