ଦେଶରେ ରେକର୍ଡ କରିଲା ସମ୍ବଲପୁରର ଗୋଟିଏ ଟ୍ରକର ଜରିମାନା, ଜାଣନ୍ତୁ..

ସମ୍ବଲପୁର:ଗତ ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ମୋଟର ଯାନ ଆଇନ । ଏହି ଆଇନରେ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କୁ ୧୦ ଗୁଣା ଅଧିକ ଜରିମାନା ଦେବାକୁ ପଡୁଛି । କେଉଁଠି ଅଟୋ ଡ୍ରାଇଭରଙ୍କୁ ୫୨ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିଛି ତ ଆଉ କେଉଁଠି ଟ୍ରକ ଡ୍ରାଇଭରଙ୍କୁ ୨ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି । କିନ୍ତୁ ସମ୍ବଲପୁର ସହରରେ ପୁରୁଣା ମୋଟର ଯାନ ଆଇନରେ ଏକ ଟ୍ରକ ଉପରେ ୬ ଲକ୍ଷ ୫୩ ହଜାର ଟଙ୍କାର ଫାଇନ ପକାଯାଇଛି । ଯାହା ଦେଶରେ ଏକ ରେକର୍ଡ ହୋଇଯାଇଛି । ଏହା ଗତ ଅଗଷ୍ଟ ୧୦ ତାରିଖରେ ଘଟଣା ହୋଇଥିବା ବେଳେ ଏବେ ସାମ୍ନାକୁ ଆସିଛି ା 

ସୂଚନାନୁସାରେ, ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ବାଇକ ହେଉ କି ଅଟୋ କିମ୍ବା ଟ୍ରକ ସମସ୍ତେ ଗାଡି ଚଳାଇବାକୁ ଡରୁଥିଲେ । ଆବଶ୍ୟକୀୟ କାଗଜପତ୍ର ନଥିଲେ କିମ୍ବା ଟ୍ରାଫିକ ନିୟମ ମାନୁ ନଥିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡୁଥିଲା । ତେବେ ଲୋକଙ୍କ ବିରୋଧକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୩ ମାସ କୋହଳ କରିଥିଲେ । କିନ୍ତୁ ପୋଲିସ କାଗଜପତ୍ର ଏବେ ଚେକିଂ କରିବ ନାହିଁ କେବଳ ଟ୍ରାଫିକ ନିୟମ ଉପରେ ନଜର ରଖିବ ବୋଲି କହିଥିଲା  ।

ଏହି ଧରପଗଡ ରାଜ୍ୟ ରଜଧାନୀ ଭୁବନେଶ୍ୱର ସମେତ ସମସ୍ତ ଜିଲ୍ଲାରେ ଜୋରଦାର ଚାଲିଥିଲା । ସମ୍ବଲପୁରରେ ମଧ୍ୟ ପୋଲିସ ଜୋରଦାର ଚେକିଂ କରିଥିଲା । ତେବେ ଚେକିଂ କରିବା ସମୟରେ ଏକ ନାଗାଲାଣ୍ଡର ଟ୍ରକକୁ ଅଟକ ରଖାଯିବା ସହ ଏହା ଉପରେ ୬ଲକ୍ଷ ୫୩ ହଜାର ୧୦୦ ଟଙ୍କା ଫାଇନ ପଡିଛି । ଟ୍ରକର ପରମିଟ୍ ନଥିବାରୁ ୫ ହଜାର , ପ୍ରଦୂଷଣ ପାଇଁ୧୦୦୦,  ଓଭରଲୋଡିଂ ଓ କାଗଜପତ୍ର ଆଦି ଠିକ ନଥିବା ପୋଲିସ କହିଛି  । ଏପରିକି ପୁରୁଣା ଆଇନରେ ରୋଡ୍ ଟ୍ୟାକ୍ସ ଫାଙ୍କି ଥିବାରୁ ୬ଲକ୍ଷ ୪୦ ହଜାରର  ଫାଇନ ଲାଗିଛି । ସେହିପରି ଗାଡିର ଇନ୍ସୁରାନ୍ସ ନଥିବାରୁ ୧ ହଜାର, ଯାତ୍ରୀ ନେବାରୁ୫ ହଜାର ଫାଇନ ଲାଗିଛି  ।  ତେଣୁ ଟ୍ରକକୁ ଏତେ ମାତ୍ରାରେ ଜରିମାନା ଲଗାଯାଇଛି । ଯାହା ସାରା ଦେଶରେ ସବୁଠାରୁ ଅଧିକ କଟିଥିବା ଚାଲାଣ । ସୂଚନାଯୋଗ୍ୟ, ଗତ ୬ ଦିନ ତଳେ ସେହି ସମ୍ବଲପୁରରେ ଆଉ ଏକ ଟ୍ରକ ଉପରେ ୮୦ ହଜାରର ଜରିମାନା ଲାଗିଥିଲା ।