ରାଜ୍ୟରେ ଆଉ ୬ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୭ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।


ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ୫ ପୁରୁଷ ଥିବା ବେଳେ ଗଜପତି ଜିଲ୍ଲାର ଜଣେ ମହିଳା ଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧ, ୪୨ ବର୍ଷୀୟ ଯୁବକ ମଧୁମେହରେ ପୀଡ଼ିତ ଥିବା ବେଳେ ଜଣେ ୫୨ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପ ଓ ମଧୁମେହରେ ପୀଡ଼ିତ ଥିଲେ। ଏହାବ୍ୟତୀତ ଜିଲ୍ଲାର ଅନ୍ୟ ୨ ଆକ୍ରାନ୍ତଙ୍କ ବୟସ ୪୦ ବର୍ଷ ଓ ୫୪ ବର୍ଷ ।


ଗଜପତି ଜିଲ୍ଲାର ମୃତା ୫୫ ବର୍ଷୀୟା ଆକ୍ରାନ୍ତ ମହିଳାଜଣକ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୫୯ ଛୁଇଁଥିବା ବେଳେ ଗଜପତିରେ ଏହି ସଂଖ୍ୟା ୪ରେ ପହଞ୍ଚିଛି।