ଆଜି ପୁଣି କରୋନାରେ ୬ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ କରୋନା ଆଉ ୬ଟି ମୁଣ୍ଡ ନେଇଛି। ଏହାକୁ ମିଶାଇଲେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୦କୁ ବୃଦ୍ଧି ପାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । କରୋନାରେ ପ୍ରାଣ ହରାଇଥିବା ୬ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ଜଣ, କଟକରୁ ଜଣେ ଓ ଭୁବନେଶ୍ୱରରେ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ସେହିପରି ଜଣେ ସଂକ୍ରମିତ ଲଙ୍ଗସ୍ କ୍ୟାନସରରେ ମୃତ୍ୟୁବରଣ କରିଛନ୍ତି।

ଗଞ୍ଜାମ ଜିଲ୍ଲାରେ କରୋନାରେ ମୃତ୍ୟୁ ହୋଇଥିବା ଚାରିଜଣ ପୁରୁଷଙ୍କ ବୟସ ୪୫, ୬୩, ୭୨ ଓ ୪୯ବର୍ଷ ମଧ୍ୟରେ ରହିଛି। ୪୫ବର୍ଷର ବ୍ୟକ୍ତି ମଧୁମେହ ଓ ଉକ୍ତରକ୍ତଚାପରେ ପୀଡିତ ଥିଲେ। ଏଥିସହିତ ୭୨ବର୍ଷୀୟ ମୃତଙ୍କର ବି ମଧୁମେହ, ହୃଦହଜନିତ ଓ କିଡନୀଜନିତ ସମସ୍ୟା ରହିଥିବା ବେଳେ ୪୯ବର୍ଷୀୟ ବ୍ୟକ୍ତି ବି ମଧୁମେହରେ ପୀଡିତ ଥିଲେ।

ସେହିପରି ଭୁବନେଶ୍ୱରରୁ ୬୭ବର୍ଷୀୟ ପୁରୁଷ ମଧୁମେହ ଓ ଉକ୍ତରକ୍ତଚାପ ସହ କ୍ରୋନିକ୍‌ କିଡନୀ ରୋଗରେ ପୀଡିତ ଥିଲେ। (କ୍ରୋନିକ୍‌ କିଡନୀ ରୋଗ ଏଭଳି ଏକ ସ୍ଥିତି ଯାହାଦ୍ୱାରା ବ୍ୟକ୍ତିର ଦୁଇଟି କିଡନୀ ଧୀରେ ଧୀରେ କାମ କରିବା ବନ୍ଦ କରି ଦେଇଥାଏ)। କଟକରେ ମୃତ୍ୟୁ ହୋଇଥିବା କରୋନା ଆକ୍ରାନ୍ତ ଜଣକ ପୁରୁଷ ଓ ତାଙ୍କ ବୟସ ୪୦ବର୍ଷ ହେବ।


ସେହିପରି  ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି ୬୧୬ଜଣ କରୋନା ପିଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୪୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ଟି ସ୍ଥାନୀୟ ମାମଲା ରହିଥିବା ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରତିଦିନ ଭଳି ଆଜି ବି ଗଞ୍ଜାମରୁ ସର୍ବାଧିକ ୨୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଯାବତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୩୭ରେ ପହଞ୍ଚିଛି।