ଦିଲ୍ଲୀ, ହରିୟାଣା, ପଞ୍ଜାବ ସମେତ ଉତର ଭାରତରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ: ଆଜି ସନ୍ଧ୍ୟା ୫ଟା ୧୨ରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ସମେତ ଉତର ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଏହା ବ୍ୟତୀତ ପଡୋଶୀ ଦେଶ ଆଫଗାନିସ୍ଥାନରେ ମଧ୍ୟ ଏଭଳି ଝଟକା ଅନୁଭୂତ ହୋଇଥିଲା ।

୨୫ ସେକେଣ୍ଡ ପର୍ଯ୍ୟନ୍ତ  ଏହି ଭୂକମ୍ପର ଝଟକା ଉତ୍ତର ଭାରତରେ ଲୋକମାନେ ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିବା ଜଣାପଡ଼ିଛି।

ଦିଲ୍ଲୀ ସମେତ ଶ୍ରୀନଗର ଓ ଚଣ୍ଡିଗଡ଼ରେ ଭୂକମ୍ପର ଝଟକା ଲାଗିବା ପରେ ଲୋକମାନେ ଭୟଭୀତ ହୋଇ ଘରୁ, କାର୍ଯ୍ୟାଳୟ ଭିତରୁ ଦୌଡ଼ାଦୌଡ଼ି ହୋଇ ବାହାରି ଆସିଥିଲେ। ତେବେ ସବୁଠାରୁ ଅଧିକ ଜୋରରେ ଭୂକମ୍ପ ଝଟକା କଶ୍ମୀର ଲୋକମାନେ ଅନୁଭବ କରିଥିବା ଜଣାପଡ଼ିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଏହି ଭୂକମ୍ପରେ ବିଶେଷ କ୍ଷୟକ୍ଷତି ଓ ଧନଜୀବନହାନୀ ହୋଇ ନ ଥିବା ସୂଚନା ମିଳିଛି।