କନ୍ଧମାଳରେ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ନେଇ ୫ଟି ସଚିବଙ୍କ ସମୀକ୍ଷା

ଭୁବନେଶ୍ୱର  : କନ୍ଧମାଳ ଗସ୍ତରେ ଯାଇ ମେଡିକାଲ କଲେଜ ନିର୍ମାଣ ଅଗ୍ରଗତି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫ଟି ସଚିବ ଭି.କେ ପାଣ୍ଡଆନ୍ ଏବଂ ପୂର୍ତ୍ତ ବିଭାଗ ସଚିବ । ଫୁଲବାଣୀରେ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ୪୫୦ କୋଟି ଟଙ୍କା ବ୍ୟୟରେ ହେବ । ମେଡିକାଲ କଲେଜ କାର୍ଯ୍ୟ ୩୦ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

୨୦୨୦ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଫୁଲବାଣୀରେ ମେଡିକାଲ କଲେଜକୁ ମଞ୍ଜୁରୀ ମିଳିଥିଲା । ଫୁଲବାଣୀ ମେଡିକାଲ କଲେଜରେ ୧୦୦ ସିଟ୍ ସହ ୫୦୦ ଶଯ୍ୟା ରହିବ । ନିର୍ମାଣ କାର୍ଯ୍ୟ ଲାଗି ସମସ୍ତ ସହାୟତା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଧାରିତ ସମୟରେ ମେଡିକାଲ କଲେଜ ନିର୍ମାଣ ସାରିବା ଲାଗି କଞ୍ଚାମାଲ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି । ମେଡିକାଲ କଲେଜ ନିର୍ମାଣ ଲାଗି ଚିହ୍ନିତ ହୋଇଥିବା ସ୍ଥାନକୁ ମୁଖ୍ୟ ଶାସନ ସଚିବ ପ୍ରଶଂସା କରିବା ସହ ଚାରିପଟେ ଗଛ ଲଗାଇବାକୁ ପରାମର୍ଶ ଦେଇଛନ୍ତି ।

ଏଥିସହ ଡ୍ରେନେଜ୍ ଓ ଜଳ ସଂରକ୍ଷଣ ଲାଗି ପଦକ୍ଷେପ ନେବାକୁ ଜଳ ସମ୍ପଦ ବିଭାଗକୁ କହିଛନ୍ତି ମୁଖ୍ୟ ଶାସନ ସଚିବ । ସେହିଭଳି ୫ଟି ସଚିବ ରୋଗୀଙ୍କ ସମ୍ପର୍କୀୟଙ୍କ ଲାଗି ବିଶ୍ରାମ ଗୃହ ଓ ଖାଦ୍ୟ ଉପରେ ଗୁରୁତ୍ୱ ଦେଇଛନ୍ତି । ମେଡିକାଲ କଲେଜ କ୍ୟାମ୍ପସ ଭିତରେ ଡାକ୍ତର ଓ କର୍ମଚାରୀଙ୍କ ଲାଗି ପରିବେଶ ଉପଯୋଗୀ ବ୍ୟବସ୍ଥା ସହ ଅବସର ବିନୋଦନ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି । ମେଡିକାଲ କଲେଜ ପରିସରରେ ଅଟୋ, ଟ୍ୟାକ୍ସି ଷ୍ଟାଣ୍ଡ ଏବଂ ଏନ୍‌ଏଚ୍ ନିକଟ ହୋଇଥିବାରୁ ଦୁର୍ଘଟଣା ରୋକିବାକୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି । ଫୁଲବାଣୀ ମେଡିକାଲ କଲେଜ କ୍ୟାମ୍ପସରେ ପୁରୁଷ ହଷ୍ଟେଲରେ ୩୦୦ ସିଟ୍‌, ମହିଳା ହଷ୍ଟେଲରେ ୧୫୦ ସିଟ୍ ସହ ୬୫୦ ସିଟ୍ କ୍ଷମତାର ଅଡିଟୋରିୟମ୍‌, ୧୦୦ ସିଟର ଆବାସିକ ଡାକ୍ତର ହଷ୍ଟେଲ, ଡାକ୍ତର ଓ କର୍ମଚାରୀଙ୍କ ଲାଗି କ୍ୱାର୍ଟର ରହିବ । ମେଡିକାଲ କଲେଜର ଅଗ୍ରଗତି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ ସରକାରୀ ଏଜେଓ ହାଇସ୍କୁଲ୍‌, ସରକାରୀ ବାଳିକା ହାଇସ୍କୁଲ ପରିଦର୍ଶନ କରିଥିଲେ । ଶିକ୍ଷକ, ସ୍କୁଲ୍ ପରିଚାଳନା କମିଟି ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ମତାମତ ଆଧାରରେ ଉଭୟ ସ୍କୁଲରେ ଉନ୍ନତିମୂଳକ କାର୍ଯ୍ୟ ଯେଭଳି ସ୍ମାର୍ଟ କ୍ଲାସରୁମ୍‌, ଲାଇବ୍ରେରୀ, ଭିତ୍ତିଭୂମି ବିକାଶ ନେଇ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାପାଳ ଓ ଏସପି ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜଣାଇଛନ୍ତି ।