୫ଟି ର ପ୍ରଭାବ: ଗୋଟିଏ ସପ୍ତାହରେ ୩୧୬୬ କର୍ମଚାରୀଙ୍କ ପଦନ୍ନୋତି

ଭୁବନେଶ୍ୱର: ଗୋଟିଏ ସପ୍ତାହରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ଓ ୩୦ଟି ଜିଲ୍ଲାରେ ଗ୍ରୁପ୍ ଏ ଠାରୁ ଆରମ୍ଭ କରି ଗ୍ରୁପ୍ ଡି ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ୩୧୬୬ ଜଣ କର୍ମଚାରୀ ପଦନ୍ନୋତି ପାଇଛନ୍ତି । ଡିସେମ୍ବର ମାସର ଶେଷ ସପ୍ତାହରେ ବିଭିନ୍ନ ବିଭାଗର ଏତେ ସଂଖ୍ୟକ କର୍ମଚାରୀ ପଦନ୍ନୋତି ପାଇବା ଏକ ରେକର୍ଡ ।

ସୂଚନାଯୋଗ୍ୟ, ନିମ୍ନ ଓ ମାଧ୍ୟମ ବର୍ଗର କର୍ମଚାରୀମାନଙ୍କ ପଦନ୍ନୋତି କ୍ଷେତ୍ରରେ ହେଉଥିବା ଅହେତୁକ ବିଳମ୍ବ ଓ ଅଯଥା ହଇରାଣ ହରକତ ଘଟଣାରେ କ୍ଷୋଭପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିସେମ୍ବର ୩୧ ତାରିଖ ସୁଦ୍ଧା ସବୁ ଯୋଗ୍ୟ କର୍ମଚାରୀଙ୍କୁ ପଦନ୍ନୋତି ଦେବା ପାଇଁ ଡିାସମ୍ବର ୨୧ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ ।

ତଦନୁଯାୟୀ, ବିଭିନ୍ନ ବିଭାଗରୁ ମିଳିଥିବା ଖବରରୁ ଜଣାଯାଇଛି, ଡିସେମ୍ବର ୨୪ ରୁ ୩୧ ସୁଦ୍ଧା ଗ୍ରୁପ୍ ଏ ରେ ୮୫୨ ଜଣଙ୍କୁ ପଦନ୍ନୋତି ଦିଆଯାଇଥିବା ବେଳେ ଗ୍ରୁପ୍ ବି ରେ ୫୨୭ ଜଣଙ୍କୁ ଗ୍ରୁପ୍ ସି ରେ ୧୪୯୬ ଜଣଙ୍କୁ ଏବଂ ଗ୍ରୁପ୍ ଡି ରେ ୨୯୧ ଜଣଙ୍କୁ ପଦନ୍ନୋତି ଦିଆଯାଇଛି । ଉଲ୍ଲେଖଯୋଗ୍ୟ, ୨୦୧୯ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ବିଭିନ୍ନ ବର୍ଗରେ ୯୭୬୬ ପଦନ୍ନୋତି ପାଇଥିଲେ । ଡିସେମ୍ବର ମାସରେ ପଦନ୍ନୋତି ପାଇଥିବା ୩୧୬୬ ଜଣଙ୍କୁ ମିଶାଇ ୨୦୧୯ ବର୍ଷରେ ବିଭିନ୍ନ ବର୍ଗର ୧୨,୯୩୨ ଜଣ କର୍ମଚାରୀ ପଦନ୍ନୋତି ସୁବିଧା ପାଇପାରିଛନ୍ତି । କେବଳ ଜିଲ୍ଲା ସ୍ତରରେ ଏହି ସମୟ ମଧ୍ୟରେ ୩୧୩୯ ଜଣ ପଦନ୍ନୋତି ପାଇଛନ୍ତି ।

ବିଭାଗୀୟ ସ୍ତରରେ ସ୍ୱରାଷ୍ଟ୍ର ବିଭାଗର ସର୍ବାଧିକ ୨୩୩୦ ପଦନ୍ନୋତି ପାଇଥିବାବେଳେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗରୁ ୧୩୦୭ଜଣ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ୧୨୫୧ ଜଣ ପଦନ୍ନୋତି ପାଇଥିବାବେଳେ ମୟୁରଭଞ୍ଜ ଜିଲ୍ଲାର ୨୧୮ ଜଣ ଓ ଗଞ୍ଜାମରେ ୧୯୪ ଜଣ ପଦନ୍ନୋତି ପାଇଛନ୍ତି ।

ରାଜ୍ୟ ସରକାରଙ୍କ ନୂତନ ୫ଟି ନୀତିରେ ସମୟ, ସ୍ୱଚ୍ଛତା, ମିଳିତ ଉଦ୍ୟମ, ବୈଷୟିକ କୌଶଳର ପୟୋଗ ଜରିଆରେ ପରିବର୍ତନ ଆଣିବା ଉପରେ ଗୁରୁତ୍ୱ ଦେଉଛନ୍ତି । ୫ଟି ର ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଭାବରେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମଚାରୀଙ୍କ ପଦନ୍ନୋତିରେ ଅଯଥା ବିଳମ୍ବ ନ କରି ଯଥା ସମୟରେ ପଦନ୍ନୋତି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।