ବ୍ଲକ୍ ଚେନ୍ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ସୁନ୍ଦରଗଡ଼ବାସୀଙ୍କ କଲ୍ୟାଣରେ ଭାଗୀଦାର ହେଉ ଏନଆଇଟି ରାଉରକେଲା : ଧର୍ମେନ୍ଦ୍ର ପ୍ରଧାନ

ଏନ୍‌ଆଇଟି ରାଉରକେଲାର 19ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

ରାଉରକେଲା :  ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ର ୧୯ତମ ସମାବର୍ତ୍ତନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିକ୍ଷାନୁଷ୍ଠାନକୁ ବ୍ଲକ ଚେନ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ସୁନ୍ଦରଗଡ଼ବାସୀଙ୍କ କଲ୍ୟାଣରେ ଭାଗୀଦାର ହେବାକୁ ଆହ୍ୱାନ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଳ୍ପ ବିପ୍ଳବ 4.0 ଓତଃପ୍ରୋତ ଭାବେ ଏଆଇ ଉପରେ ଗୁରୁତ୍ୱ ଦେଇ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ । ଏନଆଇଟି ରାଉରକେଲା ପରି ସମ୍ମାନଜନକ ଅନୁଷ୍ଠାନ ଶିଳ୍ପ ବିପ୍ଳବ 4.0ରୁ ଉଭା ହେଉଥିବା ସୁଯୋଗର ସମ୍ପୂର୍ଣ୍ଣ ବ୍ୟବହାର କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ଏକ ଲାବରୋଟୋରୀରେ ଭାବରେ ପରିଣତ କରିବା ପାଇଁ ଚେଷ୍ଟା କରିବା ଆବଶ୍ୟକ । ଏନଆଇଟି ରାଉରକେଲା ବ୍ଲକ ଚେନ ଆଧାରିତ ଟେକ୍ନୋଲୋଜି ସାହାଯ୍ୟରେ ସୁନ୍ଦରଗଡ଼ର ସବୁ ଲୋକଙ୍କ ସହ ସଂଯୋଗ ସ୍ଥାପନ କରିବା ଦରକାର । ଏହା ସମାଜ ପାଇଁ ଲାଭଦାୟକ ହେବ ଏବଂ କଲ୍ୟାଣକାରୀ ଯୋଜନାର ବିତରଣରେ ଅଧିକ ସ୍ୱଚ୍ଛତା, ଗତି ଏବଂ ଦକ୍ଷତା ନିଶ୍ଚିତ ହେବ ।

• ଛାତ୍ରଛାତ୍ରୀଙ୍କୁ ମେଡ଼ାଲ ଓ ସ୍ନାତକ, ସ୍ନାତକୋତ୍ତର, ପ୍ଏଚଡ଼ି ଡିଗ୍ରୀ ପ୍ରଦାନ ସହ ଅଭିନନ୍ଦନ ଜଣାଇଲେ
• ନବସୃଜନ ମାଧ୍ୟମରେ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ଏନଆଇଟି ରାଉରକେଲାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ
• ଆମ ସମୃଦ୍ଧ ଭାଷାଗତ ପରମ୍ପରାକୁ ସଂରକ୍ଷଣ କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା ଜରୁରୀ
• ଆଗାମୀ ଦିନରେ ଏନଆଇଟିକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବନାଇବା ପାଇଁ ଉଦ୍ୟମ ହେବ
• ଏନଆଇଟି ରାଉରକେଲା ସୁନ୍ଦରଗଡ଼କୁ ଏକ ଲାବରୋଟୋରୀରେ ଭାବରେ ପରିଣତ କରିବାର ଦାୟିତ୍ୱ ନେଉ
• ସମାବର୍ତ୍ତନ ଛାତ୍ର ଜୀବନରେ ନୂଆ ଦାୟିତ୍ୱ ନେବା ପାଇଁ ପ୍ରବର୍ତ୍ତାଇଥାଏ
• ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ହେବା ଆମ ଗଣତନ୍ତ୍ରର ମହାନ ପରମ୍ପରାର ପ୍ରତିଫଳନ
• ସମାବର୍ତ୍ତନରେ ପାରମ୍ପରିକ ହସ୍ତତନ୍ତ ପୋଷାକକୁ ଡ୍ରେସ କୋଡ୍ ପାଇଁ ଏନଆଇଟିକୁ ଧନ୍ୟବାଦ ଜଣାଇଲେ
• ଡ଼ାଲଖାଇ ଗୀତରେ ନୃତ୍ୟ ପରିବେଷଣ କରି ସ୍ୱାଗତ କରିଥିବାରୁ ଖୁସିବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ

ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ହେଉଛି ଗଣତନ୍ତ୍ରର ଜନକ । ଚଳିତ ଥର ଜନଜାତି ସମୁଦାୟର ନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହାମହିମ ରାଷ୍ଟ୍ରପତି ପଦବୀରେ ଅଭିଷିକ୍ତ ହେବା ଆମ ଗଣତନ୍ତ୍ରର ମହାନ ପରମ୍ପରାର ପ୍ରତିଫଳନ । ସେହିପରି ଜାତୀୟ ଶିକ୍ଷା ନୀତି ହେଉଛି ଆମ ଦେଶକୁ ଅମୃତ କାଳେ ନୂଆ ଶିଖରକୁ ନେବାର ଏକ ମାଗଦର୍ଶକ । ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ଦିଗରେ ଆମର ଭାରତୀୟ ଭାଷା ଏକ ଚାବିକାଠି ହେବ ।

ସେହିପରି ଶ୍ରୀ ପ୍ରଧାନ ସମାବର୍ତ୍ତନ ସମାରୋହ ପ୍ରସଙ୍ଗରେ ଉଦବୋଧନ ଦେଇ କହିଛନ୍ତି ଯେ ସମାବର୍ତ୍ତନ ଛାତ୍ର ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହା ନୂଆ ଦାୟିତ୍ୱ ନେବା ପାଇଁ ପ୍ରବର୍ତ୍ତାଇଥାଏ । ମୋର ବିଶ୍ୱାସ ଯେ ଆଜି ସ୍ନାତକ ହାସଲ କରିଥିବା ହୋଇଥିବା ଛାତ୍ରଛାତ୍ରୀମାନେ ଅପାର ସଫଳତା ହାସଲ କରିବେ ଏବଂ ସମାଜ ତଥା ଦେଶ ପ୍ରତି ସେମାନଙ୍କର ଦାୟିତ୍ୱକୁ ମଧ୍ୟ ପୂରଣ କରିବେ । ଆମେ ସମାବର୍ତ୍ତନ ଉତ୍ସବ ପାଳନ କରୁଥିବା ବେଳେ ଆମେ ସମସ୍ତେ ଆମକୋ ସିମକୋ ଗୁଳିକାଣ୍ଡ ଏବଂ ସୁନ୍ଦରଗଡର ଇତିହାସ ପୃଷ୍ଠାରେ ଅନାଲୋଚିତ ଜନଜାତି ନାୟକଙ୍କ ବିରତ୍ୱକୁ ସ୍ମୃଚିଚାରଣ କରିବା ଆବଶ୍ୟକ । ଶହୀଦ ନିର୍ମଳ ମୁଣ୍ଡା ଏବଂ ତାଙ୍କ ପରି ଅସଂଖ୍ୟ ସଂଗ୍ରାମୀଙ୍କ ବଳିଦାନ ହେତୁ ଆମେ ଆଜି ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଅଛୁ । ଆଜାଦୀ କା ଅମୃତ ମହୋତ୍ସବ ଏବଂ ହର୍ ଘର୍ ତ୍ରିରଙ୍ଗା ଅଭିଯାନ ଆମ ସ୍ୱାଧୀନତା ସଂଗ୍ରାମୀ ଏବଂ ଅନାଲୋଚିତ ବ୍ୟକ୍ତିବିଶେଷଙ୍କୁ କୃତଜ୍ଞତା ଜଣାଇବାର ଏକ ସ୍ୱତନ୍ତ୍ର ଅଭିବ୍ୟକ୍ତି । ସମସ୍ତଙ୍କ ଏକତା, ଅଖଣ୍ଡତା, ବିବିଧତା ଏବଂ ଗଣତନ୍ତ୍ରର ଆଦର୍ଶକୁ ସମ୍ମାନ ଦେବା ପାଇଁ ଆଗେଇ ଆସିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏନଆଇଟି ରାଉରକେଲାର ମେଧାବୀ ଛାତ୍ରଛାତ୍ରୀମାନେ ସୃଜନଶୀଳ ଚିନ୍ତାଧାରା ଏବଂ ନବସୃଜନ ଦ୍ୱାରା ସମସ୍ତ ଭାରତୀୟ ଭାଷାର ରୂପରେଖକୁ ଏକ ଉତ୍ସବ ଭାବରେ ପାଳନ କରିବା ସହ ମାତୃଭାଷାରେ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ଆଗେଇ ଆସିବା ଆବଶ୍ୟକ । ଆମର ସମୃଦ୍ଧ ଭାଷାଗତ ପରମ୍ପରାକୁ ପ୍ରୋତ୍ସାହନ ଏବଂ ସଂରକ୍ଷଣ କରିବା ପାଇଁ ଆମେ ଟେକ୍ନୋଲୋଜିର ବ୍ୟବହାର କରିବା ଜରୁରୀ ଅଟେ ।

ସୁନ୍ଦରଗଡ ଏବଂ ଓଡିଶାର ଅନେକ ଅନ୍ତର୍ନିହିତ ଶକ୍ତି ଅଛି । ସୁନ୍ଦରଗଡର ଜନଜାତି ସଂସ୍କୃତି, ଜୀବନଶୈଳୀ, ପ୍ରକୃତି ଓ ସ୍ୱଚ୍ଛତା ଏବଂ ଓଡ଼ିଶାର ସମୃଦ୍ଧ ଐତିହ୍ୟ ବାହ୍ୟ ଜଗତକୁ ଅନେକ କିଛି ଶିକ୍ଷା ଦେଇଥାଏ । ଏନଆଇଟି ରାଉରକେଲା ବହୁମୁଖୀ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରେ ନିଜକୁ ରୂପାନ୍ତରଣ କରିବା ସହ କିପରି ସ୍ଥାୟୀ ଜୀବନଶୈଳି ପରିବେଶ ସୁରକ୍ଷାରେ ଅବଦାନ ରଖିପାରେ ଏବଂ ସମସ୍ତଙ୍କ ମଧ୍ୟରେ ସ୍ୱଚ୍ଛତାକୁ ଅଭ୍ୟାସରେ ପରିଣତ କରାଇବା ଦିଗରେ ପାଠ୍ୟକ୍ରମ ଆରମ୍ଭ କରିବା ଦରକାର । ଏନଆଇଟି ରାଉରକେଲା ଦେଶରେ ଜାତୀୟ ପ୍ରାଥମିକତା ହାସଲ କରିବା ପାଇଁ ନୂତନ ମଡେଲ ସୃଷ୍ଟି କରିବା ଦିଗରେ କାର୍ଯ୍ୟକରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶର ମର୍ଯ୍ୟାଦାଜନକ ଶିକ୍ଷାନୁଷ୍ଠାନ ମଧ୍ୟରୁ ଏନଆଇଟି ଅନ୍ୟତମ । ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ ହେବା ପରେ ଶିକ୍ଷାନୁଷ୍ଠାନର ଦାୟିତ୍ୱ ଓ ମହତ୍ୱ ବଢ଼ିଛି । ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ କେମିତି ମଜବୁତ କରାଯିବ ଏବଂ ଏନଆଇଟିର ଭୂମିକା କ’ଣ ରହିବ ସେ ବିଷୟରେ ଆଲୋଚନା କରାଯାଇଛି । ଆଗାମୀ ଦିନରେ ଏନଆଇଟିକୁ ଗୋଟିଏ ଆଧୁନିକ ଶିକ୍ଷାନୁଷ୍ଠାନ ଭାବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଛାତ୍ରଛାତ୍ରୀମାନେ ଆସିବେ ଏବଂ ଜିଲ୍ଲାର ବିକାଶ ଦିଗରେ ମଧ୍ୟ ଶିକ୍ଷାନୁଷ୍ଠାନ କାମ କରିବା ଦିଗରେ ଆଲୋଚନା କରାଗଲା।

ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଡ଼ାଲଖାଇ ଗୀତରେ ନୃତ୍ୟ ପରିବେଷଣ କରି ସ୍ୱାଗତ କରିଥିବାରୁ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିବା ସହ କହିଛନ୍ତି ପାରମ୍ପରିକ ଡ଼ାଲଖାଇ ନୃତ୍ୟ ଆମ ଦେଶର ସୌନ୍ଦର୍ଯ୍ୟ । ସେହିପରି ସମାବର୍ତ୍ତନ ସମାରୋହରେ ସ୍ଥାନୀୟ ଓ ପାରମ୍ପରିକ ହସ୍ତତନ୍ତ ପୋଷାକକୁ ଡ୍ରେସ କୋଡ୍ କରିଥିବାରୁ ଏନଆଇଟି ରାଉରକେଲାକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହା ସମଗ୍ର ବିଶ୍ୱରେ ଆମର ସମୃଦ୍ଧ ସଂସ୍କୃତିକୁ ଆହୁରି ପ୍ରୋତ୍ସାହିତ କରିବ ବୋଲି ସେ କହିଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଛାତ୍ରଛାତ୍ରୀଙ୍କୁ ମେଡ଼ାଲ ଓ ସ୍ନାତକ, ସ୍ନାତକୋତ୍ତର, ପ୍ଏଚଡ଼ି ଡିଗ୍ରୀ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ବିଶିଷ୍ଟ ଆଲୁମନାସ ପୁରସ୍କାର-2021 ପ୍ରଦାନ କରିଥିଲେ ।