କାଶୀପୁରରେ ଥମୁନି ଝାଡ଼ାବାନ୍ତି : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଜିଲ୍ଲାପାଳଙ୍କ ଆକ୍ରାନ୍ତ ଗାଁ, ମେଡ଼ିକାଲ୍ ପରିଦର୍ଶନ

ରାୟଗଡ଼ା : କାଶୀପୁରରେ ଶଙ୍କରଡ଼ା ପଞ୍ଚାୟତ ପାଞ୍ଚାଳୀ ଗାଁର ଅଗ‌ାଧୁ ଗରଡ଼ାଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଛି । ଫଳରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ୪୦ରୁ ଉର୍ଧ୍ୱ ଆକ୍ରାନ୍ତ ଟିକିରି, ରାୟଗଡ଼ା ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି । ଧୀରେ ଧୀରେ ଆକ୍ରାନ୍ତ ସଂଖ୍ୟା ବଢ଼ୁଥିବା ବେଳେ ଟିକିରି ଥୁଟିବର ସେବାଶ୍ରମର ୧୧ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି ।
ଝାଡ଼ାବାନ୍ତି ଗୋଟିଏ ପରେ ଗୋଟିଏ ଗାଁକୁ ମାଡ଼ି ଚାଲିଥିବାରୁ ଏହାର କାରଣ ଖୋଜିବାକୁ ଟିକିରିରେ ପହଞ୍ଚିଛନ୍ତି ସ୍ୱାସ୍ଥ୍ୟ ବିଭାଗର ରାଜ୍ୟସ୍ତରୀୟ ଟିମ୍ । ଯୁଗ୍ମ ନିର୍ଦେଶକ ବସନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଟିମ୍ ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା, ଦୂଷିତ ପାଣି, ଅଖାଦ୍ୟ ସେବନ ନା ଅନ୍ୟ ‌କେଉଁ କାରଣ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି ତାକୁ ନେଇ ଯାଞ୍ଚ କରୁଛି ଟିମ୍ ।
ସେହିପରି ଜିଲ୍ଲାପାଳ ସ୍ୱଧା ଦେବ ସିଂ ଆକ୍ରାନ୍ତ ଗାଁ, ମେଡ଼ିକାଲ୍ ପରିଦର୍ଶନ କରି ମୃତକ ଓ ଆକ୍ରାନ୍ତଙ୍କ ସଂପର୍କୀୟ ସହ ଆଲୋଚନା କରିଛନ୍ତି । ଟିକିରି ଝୋଡ଼ିଆ ସାହି, ଦୁଡୁକାବାହଲ, ଶଙ୍କରଡ଼ା ଗସ୍ତ କରି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅଧିକାଂଶ ଗାଁରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ଦେଖି ବିଗିଡ଼ିଥିଲେ ଜିଲ୍ଲାପାଳ । ଟିକିରି ଝୋଡ଼ିଆ ସାହି ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ତାଗିଦ୍ କରିଥିଲେ । ଦୁଡୁକାବାହଲବାସୀ ପାନୀୟ ଜଳ ପାଇଁ ବ୍ୟବହାର କରୁଥିବା କୂଅକୁ ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ଜିଲ୍ଲାପାଳ । ସୌରଚାଳିତ ଡୁଆଲ ପମ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଦୁଇ ଦିନ ଭିତରେ କାର୍ଯ୍ୟକାରୀ ନହେଲେ ଏ ସଂପର୍କରେ ଅବଗତ କରିବାକୁ ନାଏବ ସରପଞ୍ଚଙ୍କୁ କହିଛନ୍ତି ଜିଲ୍ଲାପାଳ । ଆକ୍ରାନ୍ତ ସଂଖ୍ୟା ବଢ଼ିବା ପରେ ଦୁଡୁକାବାହଲ ସମେତ ଅନ୍ୟ ଗାଁରେ ଥିବା ଜଳ ଉତ୍ସ ଓ ନଳକୂପ ଗୁଡ଼ିକୁ ବିଶୋଧନ କରାଯାଇଛି । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ପାଣି ଯୋଗାଇ ଦେବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।